ଶାଳପତ୍ର ତୋଳିବାକୁ ଜଙ୍ଗଲ ଯାଇଥିଲେ, ଶିକାରୀ ଭାବି ପିଟି ପିଟି ମାରିଦେଲେ ବନ କର୍ମଚାରୀ !

Published By : Prameya-News7 Bureau | October 24, 2020 IST

କପ୍ତିପଦା ୨୪।୧୦: ଶୀକାରି ଭାବି ଜଣେ ଯୁବକଙ୍କୁ ପିଟିପିଟି ମାରିଦିଆଯାଇଛି । ତାହା ପୁଣି ବନବିଭାଗ କର୍ମଚାରୀ ପିଟିପିଟି ହତ୍ୟା କରିଛନ୍ତି  ବୋଲି ଅଭିଯୋଗ ଆସିଛି । ଜଙ୍ଗଲକୁ ଯାଇଥିବା ଜଣେ ଯୁବକକ ସହିତ ଏପରି ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନାରଲ ମାହୋଲ ସୃଷ୍ଟି କରିଦେଇଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ପୋଡ଼ାଡିହା ଫରେଷ୍ଟ ବିଟ୍‌ ଅଞ୍ଚଳରେ ଘଟିଛି ଘଟଣା । ଯାହାକୁ ନେଇ ପୋଡାଡିହା ଫରେଷ୍ଟ ବିଟ୍‌ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା ।

ଖବର ଅନୁଯାୟୀ, କପ୍ତିପଦା ଥାନା ନଛିପୁର ଗାଁ ଗଜେନ୍ଦ୍ର ନାଏକ ନିଜର ଅନ୍ୟ ଦୁଇ ଜଣ ସାଥୀଙ୍କ ସହିତ ଗତ ୯ ତାରିଖ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଶାଳପତ୍ର ତୋଳିବା ପାଇଁ ଯାଇଥିଲେ ,କିନ୍ତୁ  ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ତିନି ଦିନ ଧରି ଅନେକ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ପାଇନଥିଲେ । କିଛି ଦିନ ପରେ ଗଜେନ୍ଦ୍ର ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବନ ବିଭାଗ କର୍ମଚାରୀ ତାଙ୍କ ପରିବାର ଲୋକଙ୍କୁ ଫୋନ୍‌ରେ ଜଣାଇଥିଲେ । ପରିବାର ଲୋକେ ବାରିପଦାରେ ପହଂଚିବା ପରେ ସେଠାରେ ଗଜେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

କଟକରେ ଚିକିତ୍ସାଧୀନ ଅବସ୍ଥାରେ ଗଜେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । ରାତି ପ୍ରାୟ ୧୨ଟାରେ ଗଜେନ୍ଦ୍ରଙ୍କ ମୃତଦେହ ଗ୍ରାମରେ ପହଞ୍ଚିଥିବା ବେଳେ ପରିବାର ଲୋକେ ଏବଂ ଗ୍ରାମବାସୀ ମୃତଦେହ ଘରକୁ ନନେଇ ପୋଡାଡିହା ବିଟ୍‌ ହାଉସ୍‌ ସମ୍ମୁଖରେ ରଖି ପ୍ରତିବାଦ କରିଥିଲେ । ବନ ବିଭାଗ କର୍ମଚାରୀଙ୍କ ମାଡ଼ରେ ଗଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣି କ୍ଷତିପୂରଣ ଦାବିରେ ବିଟ୍‌ ହାଉସ ସମ୍ମୁଖରେ ଆନ୍ଦୋଳନ କରିଥିଲେ ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଶିମିଳିପାଳ ଜଙ୍ଗଲ ମଧ୍ୟରେ ଗଜେନ୍ଦ୍ରଙ୍କୁ ବନ କର୍ମଚାରୀମାନେ ଶିକାରୀ ଭାବି ବାଡ଼େଇ ବାଡ଼େଇ ଗୁରୁତର କରିବା ପରେ ତାଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେତେବେଳେ ବନବିଭାଗ ଗଜେନ୍ଦ୍ରଙ୍କୁ ଜଙ୍ଗଲରେ ଗୁରୁତର ଅବସ୍ଥାରେ ପାଇଥିଲେ ସେବେ ତାଙ୍କ ପରିବାର ଲୋକଙ୍କୁ ଖବର ନ ଦେଇ କ’ଣ ପାଇଁ ସେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହାର କିଛି ସମୟ ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା ବୋଲି ଗ୍ରାମବାସୀ ଏବଂ ପରିବାର ଲୋକେ କହିଛନ୍ତି ।

ଅନ୍ୟପଟେ କପ୍ତିପଦା ପୁଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ଲୋକେ ନିଜ ଜିଦିରେ ଅଟଳ ରହିଥିଲେ । ପରେ ଦିନ ପ୍ରାୟ ୧୨ଟାରେ ଉତ୍ତ୍ୟକ୍ତ ଲୋକେ ବିଟ ହାଉସ୍‌ ଭିତରକୁ ପଶି ଚେୟାର ଟେବୁଲ ଭଙ୍ଗାରୁଜା କରିବା ସହିତ ଅଶାନ୍ତି ସୃଷ୍ଟି କରିଥିଲେ । ପୁଲିସ୍‌ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା । ପରିବାର ଲୋକଙ୍କ ସହିତ ଆଲୋଚନା କରି ମୃତ ଗଜେନ୍ଦ୍ରଙ୍କ ଶବଦାହ ନିମନ୍ତେ ୧୦ ହଜାର ଟଙ୍କା ସହିତ ମୃତ ଗଜେନ୍ଦ୍ରଙ୍କ ସ୍ତ୍ରୀ ବିନୋଦିନୀଙ୍କୁ ବିଭାଗର ଏକ ଅସ୍ଥାୟୀ ପଦବିରେ ଚାକିରି ଦେବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଦୀର୍ଘ ୧୨ ଘଣ୍ଟା ପରେ ମୃତଦେହ ଉଠିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.