ଅଭାବୀ ଘରର ମେଧାବୀ ଛାତ୍ର, ଟପ୍ପର ପରେ ଲକ୍ଷ୍ୟ ଆଇଏଏସ୍

Published By : Prameya-News7 Bureau | March 27, 2021 IST

ବିହାର ୨୭/୦୩:  ମନରେ ଇଛାଶକ୍ତି ଥିଲେ ମଣିଷ ସବୁକିଛି କରିବାରେ ସକ୍ଷମ ହୋଇଥାଏ । ସମସ୍ତ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଥାଏ ।  ଏପରି କିଛି କରି ଦେଖାଇଛନ୍ତି, ବିହାରର କୈଳାସ କୁମାର । ପରିବାରର ଆର୍ଥିକ ସମସ୍ୟା ସତ୍ତ୍ୱେ ବିହାର ବୋର୍ଡର ଇଣ୍ଟର ପରୀକ୍ଷାରେ ଟପ୍ପର ହୋଇଛନ୍ତି ।  “ପୁଅ ପ୍ରତିଭାଶାଳୀ, କିଛି କରିବାକୁ ଅନେକ ଇଚ୍ଛା ମଧ୍ୟ ଅଛି, କିନ୍ତୁ ଭୟ ଲାଗୁଛି, ସେ ଏବଂ ତାର ଲକ୍ଷ୍ୟ ମଧ୍ୟରେ ମୋର ଦାରିଦ୍ର୍ୟତା ଯେପରି ଆସିନଯାଏ । ଏତେ ଦାରିଦ୍ର୍ୟତା ମଧ୍ୟରେ ମୁଁ କିପରି ମୋ ପୁଅକୁ ଆଗକୁ ବଢାଇବି?..” ଏହି ସବୁ କଥା କୈଳାସ କୁମାରଙ୍କ ବାପା ଉପେନ୍ଦ୍ର ମଣ୍ଡଳ କହିଛନ୍ତି ।

ସୁପୌଲ ଜିଲ୍ଲାର ତ୍ରିବେଣୀଗଞ୍ଜର ଅତଲଖା ବେଲହୀ ୱାର୍ଡ -୫ ନିବାସୀ ତଥା ଲକ୍ଷ୍ମୀନିଆରେ ଏକ ପେଟ୍ରୋଲ ପମ୍ପରେ ନୋଜଲ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ଉପେନ୍ଦ୍ର ମଣ୍ଡଳଙ୍କ ପୁଅ କୈଳାସ କୁମାର ଇଣ୍ଟର ପରୀକ୍ଷାରେ ଆର୍ଟସରେ ୪୬୩ ନମ୍ବର ରଖି ଟପ୍ପର ହୋଇଛନ୍ତି ।  କୈଳାସ ଆଗକୁ ଆଇ ଏ ଏସ୍ ହେବାକୁ ଚାହୁଁଛନ୍ତି  କିନ୍ତୁ ଦାରିଦ୍ର୍ୟ ତାଙ୍କର ଚିନ୍ତା ବଢାଇଛି । ଉପେନ୍ଦ୍ର ମଣ୍ଡଳ କହିଛନ୍ତି, ପୁଅର ଭଲ ପ୍ରଦର୍ଶନକୁ ନେଇ ସେ ବହୁତ ଖୁସି । ତାଙ୍କୁ ଆଗକୁ ବଢାଇବା ପାଇଁ ସେ ଦିନରାତି କଠିନ ପରିଶ୍ରମ କରିବେ, କିନ୍ତୁ ତାଙ୍କୁ ଭୟ ଲାଗୁଛି ସେମାନଙ୍କର ଦାରିଦ୍ର୍ୟତା ଯେପରି କୈଳାସଙ୍କ ମନୋବଳକୁ ଦୁର୍ବଳ କରିନଦେଉ । ସେ କହିଛନ୍ତି, ଯଦି ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ମିଳିଯାଏ, ତେବେ କୈଳାସ ନିଶ୍ଚିତ ଭାବରେ କିଛି ଭଲ କରି ହେଖାଇବେ ।

 କୈଳାସଙ୍କ ସଫଳତା ସମଗ୍ର ଗାଁରେ ଉତ୍ସାହର ବାତାବରଣ ସୃଷ୍ଟି କରିଛି । ଉପେନ୍ଦ୍ର ମଣ୍ଡଳ କହିଛନ୍ତି, ଆରମ୍ଭରୁ କୈଳାସ ଖୁବ୍ ଭଲ ପାଠ ପଢିଥାଏ । ସେ ଦଶମ ଶ୍ରେଣୀରେ ମଧ୍ୟ ବିହାର ବୋର୍ଡ ଟପ୍ପର ହୋଇଛନ୍ତି । ସେ ତ୍ରିବେଣୀଗଞ୍ଜର ସତ୍ୟଦେବ ଉଚ୍ଚ ବିଦ୍ୟାଳୟରୁ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.