ହାଥରସ ମାମଲା: ଗାଁ ଛାଡି ଦିଲ୍ଲୀରେ ରହିବାକୁ ଚାହୁଁଛନ୍ତି ପୀଡ଼ିତାଙ୍କ ପରିବାର, ଭାଇ କହିଲା- ‘ଗାଁରେ ରହିଲେ ସବୁଦିନ ଭଉଣୀ କଥା ମନେ ପଡିବ’

Published By : Prameya-News7 Bureau | October 17, 2020 IST

ହାଥରସ ୧୭/୧୦: ହାଥରସ ଗଣଦୁଷ୍କର୍ମ ଘଟଣାର ତଦନ୍ତ କରୁଛି ସିବିଆଇ, ଇଡି ଓ ଏସଆଇଟି। ଏହାରି ଭିତରେ ପୁଣି ଥରେ ଗାଁ ଛାଡିବା କଥା କହିଛନ୍ତି ପୀଡ଼ିତାଙ୍କ ପରିବାର। ପୀଡ଼ିତାଙ୍କ ପରିବାରର କହିବା କଥା ସେମାନେ ଦିଲ୍ଲୀ ସିଫ୍ଟ ହେବାକୁ ଚାହୁଁଛନ୍ତି। ଅର୍ଥାତ ଦିଲ୍ଲୀରେ ରହିବାକୁ ଚାହୁଁଛନ୍ତି। ଏ ପାଇଁ ସରକାରଙ୍କ ସାହାଯ୍ୟ ସେମାନଙ୍କୁ ଦରକାର।

ପୀଡ଼ିତାଙ୍କ ଭାଇ କହିଛନ୍ତି ଗାଁରେ ରହିବାକୁ ସେମାନେ ଚାହୁଁ ନାହାନ୍ତି। ମାମଲାକୁ ଦିଲ୍ଲୀ ଟ୍ରାନ୍ସଫର କରାଯାଉ। ସୁରକ୍ଷା ଓ ରୋଜଗାର ପାଇଁ ଦିଲ୍ଲୀରେ ରହିବାକୁ ଚାହୁଁଥିବା ସେ କହିଛନ୍ତି। ସେଠାରେ ସେ ଘର ଭଡ଼ା ନେଇ ରହିବେ। ସିବିଆଇକୁ ସମସ୍ତ ଘଟଣା ବାବଦରେ  ଜଣାଇ ଦିଆଯାଇଛି। କେବଳ ମା’ ଓ ଭାଉଜଙ୍କୁ ସିବିଆଇର ଜେରା ବାକି ଅଛି।

ଏତେ ସବୁ ହେବା ପରେ ଏଠାରେ ରହିବା ଅସମ୍ଭବ। ପୋଲିସ୍ ସୁରକ୍ଷା ଯଦିଓ ଏବେ ରହିଛି କିନ୍ତୁ ଆଗକୁ ତ ସବୁବେଳେ ରହିବ ନାହିଁ। ପୁଣି ଥରେ ନୂଆ ଆରମ୍ଭ କରିବାକୁ ଚାହୁଁଛି ପୀଡ଼ିତ ପରିବାର। ଏପରିକି ପୀଡ଼ିତାଙ୍କ ପରିବାର ଅକ୍ଟୋବର ୧୨ରେ ହାଇକୋର୍ଟର ଲକ୍ଷ୍ମୌ ବେଞ୍ଚରେ ମାମଲାକୁ ଉତ୍ତର ପ୍ରଦେଶରୁ ଦିଲ୍ଲୀ ସିଫ୍ଟ ହେବାକୁ ଚାହୁଁଥିବା ଦାବି କରିଥିଲେ। ଏଠାରେ ରହିଲେ ଭଉଣୀ ସହ ଯାହା​ ସବୁ ଘଟିଛି ସେସବୁ ସବୁବେଳେ ମନେ ପଡ଼ିବ ବୋଲି କହିଛନ୍ତି ପୀଡ଼ିତାଙ୍କ ସାନ ଭାଇ।

ସୂଚନାଯୋଗ୍ୟ ଏମାନଙ୍କୁ ଅଭିଯୁକ୍ତମାନଙ୍କ ପରିବାର ତରଫରୁ ଧମକ ମିଳିବା ପରେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇ ଥିଲା। ସରକାରଙ୍କ ପକ୍ଷରୁ ଯେଉଁ ସୁରକ୍ଷା ସେମାନଙ୍କୁ ମିଳିଛି ସେମାନେ ସେଥିରେ ସନ୍ତୁଷ୍ଟ ଥିବା ବି କହିଛନ୍ତି। ଶୁକ୍ରବାର ଏସଡିଏମ ଅଞ୍ଜଲି ଗଙ୍ଗଓ୍ବାର ପୀଡ଼ିତାଙ୍କ ପରିବାରକୁ ଭେଟି ସେମାନଙ୍କ ସ୍ଥିତି ସମୀକ୍ଷା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.