ହାଥରସ ମାମଲା: ପୀଡ଼ିତାଙ୍କ ଅସ୍ଥି ବିସର୍ଜନ କରିବାକୁ ମନା କଲେ ପରିବାର ଲୋକ

Published By : Prameya-News7 Bureau | October 04, 2020 IST

ନୂଆଦିଲ୍ଲୀ ୦୪/୧୦: ହାଥରସ ଗଣଦୁଷ୍କର୍ମ ମାମଲାରେ ମୃତ ପୀଡ଼ିତାଙ୍କ ପରିବାର ଲୋକ ତାଙ୍କ ଅସ୍ଥି ବିସର୍ଜନ କରିବାକୁ ରୋକଠୋକ ମନା କରି ଦେଇଛନ୍ତି। ପରିବାର ସଦସ୍ୟ କହିଛନ୍ତି ସେମାନେ ଅସ୍ଥି ବିସର୍ଜନ କରିବେ ନାହିଁ। କାରଣ ସେମାନେ ଜାଣନ୍ତି ନାହିଁ ପୋଡାଯାଇଥିବା ଶବ କାହାର। ଅର୍ଥାତ ଯେଉଁ ମୃତଦେହକୁ ୟୁପି ପୋଲିସ ଜଳାଇଛି ତାହା ତାଙ୍କ ଝିଅର ନା ଆଉ କାହାର। ପରିବାର ପ୍ରଶାସନ ଉପରେ ଅଭିଯୋଗ ଆଣି କହିଛି ସେମାନଙ୍କୁ ଝିଅର ମୁହଁ ନ ଦେଖାଇ ତାର ଅନ୍ତିମ ସଂସ୍କାର କରିଛନ୍ତି। ଏଣୁ ସେମାନେ ତାଙ୍କ ଅସ୍ଥି ବିସର୍ଜନ କରିବେ ନାହିଁ।

ଉଲ୍ଲେଖନୀୟ ଯେ ହାଥରସ ଜିଲ୍ଲାରେ ସେପ୍ଟେମ୍ବର ୧୪ ତାରିଖରେ ୧୯ ବର୍ଷୀୟା ଦଳିତ ଝିଅକୁ ଗଣଦୁଷ୍କର୍ମ କରାଯାଇ ଥିଲା। ଝିଅର ମେରୁଦଣ୍ଡରେ ଆଘାତ ଲାଗିଥିଲା । ଏହା ସହ ଜିଭ କାଟିଦେଇ ଥିବାରୁ ତାଙ୍କୁ ଜବାହାରଲାଲ ନେହରୁ ମେଡିକାଲ କଲେଜରେ ଭର୍ତି କରାଯାଇ ଥିଲା। ମାତ୍ର ସେଠାରେ ଜୀବନ ସହ ଲଢ଼ି ମଙ୍ଗଳବାର ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ତେବେ ମୃତ୍ୟୁ ପରେ ରାତିରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇ ଥିଲା। ଘର ଲୋକ ଅଭିଯୋଗ ଆଣିଥିଲେ ପୋଲିସ୍ ସେମାନଙ୍କ ଅନୁମତି ବିନା ଜୋରଜବରଦସ୍ତ ରାତି ପ୍ରାୟ ୨ଟା୩୦ ବେଳକୁ ପୋଲିସ ଅନ୍ତିମ ସଂସ୍କାର କରିଥିଲା। ଏହା ସହ ତାଙ୍କୁ ତାଙ୍କ ଝିଅର ମେଡିକାଲ ରିପୋର୍ଟ ମଧ୍ୟ ଦିଆଯାଇ ନାହିଁ। ଯାହା ପରେ ଦେଶବ୍ୟାପି ଏହାକୁ ନେଇ ବିରୋଧ ପ୍ରଦର୍ଶନ ହେବା ସହ ଘଟଣାକୁ ତୀବ୍ର ନିନ୍ଦା କରାଯାଉଛି। ଅବଶ୍ୟ ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.