ନୂଆଦିଲ୍ଲୀ ୦୪/୧୦: ହାଥରସ ଗଣଦୁଷ୍କର୍ମ ମାମଲା ପୂରା ଦେଶକୁ ଦୋହଲାଇ ରଖିଛି। ମାମଲାକୁ ନେଇ ଦେଶବ୍ୟାପି ଉତ୍ତେଜନା ମଧ୍ୟ ଦେଖାଦେଇଛି। ଅନେକେ ଏହା ବିରୋଧରେ ବିରୋଧ ମଧ୍ୟ ପ୍ରଦର୍ଶନ କରୁଛନ୍ତି। ତେବେ ପୀଡ଼ିତାଙ୍କ ପରିବାର ପାଇଁ ସମସ୍ତେ ନ୍ୟାୟ ଦାବି କରୁଥିବା ବେଳେ ସେମାନେ ମଧ୍ୟ ନ୍ୟାୟ ଅପେକ୍ଷାରେ ଅଛନ୍ତି।
ଇତିମଧ୍ୟରେ ପୀଡ଼ିତାଙ୍କ ଘରେ ଚୁଲି ଜଳି ନାହିଁ। ଶନିବାର ଦିନରୁ ପୀଡ଼ିତାଙ୍କ ପରିବାର ଭୋକ ଉପାସରେ ଅଛନ୍ତି। ଅଖିଆ ଅପିଆ ନ୍ୟାୟ ପାଇଁ ଚାହିଁ ବସିଛନ୍ତି। ପୀଡ଼ିତାଙ୍କ ଭାଉଜ ଗତକାଲି ଅଟା ଚକିଟି ଥିଲେ ମଧ୍ୟ ତାକୁ ଫିଙ୍ଗି ଦେଇଛନ୍ତି। ସେଠାରେ ତାଙ୍କ ପାଖରେ ଖାଦ୍ୟ ରୋଷେଇ କରିବାକୁ ଯଦିଓ କିଛି ଲୋକ ଅଛନ୍ତି କିନ୍ତୁ ଏବେ ସୁଦ୍ଧା ଚୁଲି ଜଳି ନାହିଁ। ସେମାନେ ପୂରା ଦିନ ବିସ୍କୁଟ ଖାଇ ରହୁଛନ୍ତି। ସୂତ୍ର ଅନୁସାରେ ରାତି ପ୍ରାୟ ୧ଟାରେ କିଛି ଖାଦ୍ୟ ଖାଇଥିବା କୁହାଯାଉଛି।
ପରିବାର ଲୋକ କହିଛନ୍ତି ଗଣମାଧ୍ୟମ ପ୍ରତିନିଧି ଆସିବା ଆରମ୍ଭ ହୋଇଯାଇଛି। ସେବେଠୁ ସେମାନେ ନ ଖାଇ ନ୍ୟାୟ ପାଇବା ଆଶାରେ ଅଛନ୍ତି। ଅବଶ୍ୟ ଗତକାଲି ପୁଣି ଥରେ ହାଥରସ ଯାତ୍ରା କରିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ ରାହୁଲ ଗାନ୍ଧି। ପୀଡ଼ିତାଙ୍କ ପରିବାର ସହ ସେମାନେ ଭେଟି ତାଙ୍କୁ ନ୍ୟାୟ ମିଳିବା ନେଇ ପ୍ରିୟଙ୍କା ପ୍ରତିଶ୍ରୁତି ଦେଇଛନ୍ତି।
ହାଥରସ ଜିଲ୍ଲାରେ ସେପ୍ଟେମ୍ବର ୧୪ ତାରିଖରେ ୧୯ ବର୍ଷୀୟା ଦଳିତ ଝିଅକୁ ଗଣଦୁଷ୍କର୍ମ କରାଯାଇ ଥିଲା। ଝିଅର ମେରୁଦଣ୍ଡରେ ଆଘାତ ଲାଗିଛି । ଏହା ସହ ଜିଭ କାଟିଦେଇ ଥିବାରୁ ତାଙ୍କୁ ଜବାହାରଲାଲ ନେହରୁ ମେଡିକାଲ କଲେଜରେ ଭର୍ତି କରାଯାଇ ଥିଲା। ମାତ୍ର ସେଠାରେ ଜୀବନ ସହ ଲଢ଼ି ମଙ୍ଗଳବାର ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।