ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା : ପରମ୍ପରା ମୁତାବକ ବିଜେକଲେ ଠାକୁର, ହେଲା ହାତୀ ବେଶ

Published By : Prameya-News7 Bureau | June 05, 2020 IST

ପୁରୀ ୫।୬: ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ବିନା ଭକ୍ତ ଓ ୧୪୪ ଧାରା ଜାରି ମଧ୍ୟରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଶେଷ ହୋଇଛି । ଦୁର୍ଲଭ ହାତୀ ବେଶରେ ସଜ୍ଜିତ ହୋଇଛନ୍ତି ମହାପ୍ରଭୁ। ନିର୍ଦ୍ଧାରିତ ସମୟରେ ସରିଥିଲା ଶ୍ରୀଜିଉଙ୍କ ନୀତିକାନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଅଞ୍ଚଳରେ ଜାରି ହୋଇଥିଲା ୧୪୪ ଧାରା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩୮ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲା।

{"id":281552,"sizeSlug":"large"}

ଶ୍ରୀକ୍ଷେତ୍ରରେ ପୂର୍ବବର୍ଷ ପରି ନଥିଲା ଭକ୍ତଙ୍କ ଗହଳ ଚହଳ। ନା ଶୁଭୁଥିଲା ଶଙ୍ଖ ଧ୍ବନି କି ଘଣ୍ଟ ମାଡ। କିନ୍ତୁ ସୁରୁଖୁରୁରେ ଚାଲିଥିଲା ମହାପ୍ରଭୁଙ୍କ ନୀତି। ସୀମିତ ସଂଖ୍ୟକ ସେବାୟତ ଓ କୋଭିଡ୍-୧୯ ସାମାଜିକ କଟକଣା ମଧ୍ୟରେ ଆରମ୍ଭ ହୋଇଥିଲା ପହଣ୍ଡି। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ର ୧ଟା ୨୫ରେ ମଙ୍ଗଳାର୍ପଣ, ଧାଡି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ରାତ୍ର ୧ଟା ୪୦ରୁ ୩ଟା ୧୦ ମଧ୍ୟରେ ସ୍ନାନମଣ୍ଡପରେ ବିରାଜିତ ହୋଇଥିଲେ। ପରେ ମଦନମୋହନ ବିଜେହୋଇ ମଙ୍ଗଳଆଳତି, ମଇଲମ୍, ତଡପଲାଗି ସରିବା ପରେ ଅଧର ପୋଛା ହୋଇଥିଲା । ସୂର୍ଯ୍ୟପୂଜା, ଦ୍ବାରପାଳପୂଜା ପରେ ସୁନା କୂଅରୁ ଗରାବଡୁ ସେବକ ସୁବାସିତ ଜଳ ସ୍ନାନମଣ୍ଡପକୁ ଜଳବିଜେ କରିଥିଲେ।  ଜଳପୂଜା, ସ୍ନାନ, ମଇଲମ, ମେକାପ ସର୍ବାଙ୍ଗ, ନୂଆ ଲୁଗା ଲାଗି ଶେଷ ହୋଇ ଗଜପତିଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଛେରାପହଁରା କରିସାରିବା ପରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ହାତୀବେଶ ହୋଇଥିଲା ।

{"id":281553,"sizeSlug":"large"}

ସ୍ନାନପୂର୍ଣ୍ଣିମା ନୀତି ସହ ଜଡିତ ସମସ୍ତ ସେବାୟତ ସାମାଜିକ ଦୂରତ୍ବ ରକ୍ଷା କରି ସମସ୍ତ ନୀତି ସୁରୁଖୁରୁରେ ସମ୍ପାଦନ କରିଥିଲେ। ୧୪୪ ଧାରା ଜାରି ଯୋଗୁଁ କୌଣସି ଭକ୍ତ ବଡଦାଣ୍ଡକୁ ଆସିପାରିନଥିଲେ। ସହରବାସୀଙ୍କ ସହଯୋଗ ପାଇଁ ସ୍ନାନପୂର୍ଣ୍ଣିମା ନୀତି ଶାନ୍ତି ଶୃଙ୍ଖଳାର ସହ ସରିଛି। ସହରକୁ ୭ଟି ଜୋନରେ ବିଭକ୍ତ କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩୮ପ୍ଲାଟୁନ ଫୋର୍ସ ସହ ୧୫୦ଅଧିକାରୀ ମୁତୟନ ଥିଲେ। ଭକ୍ତ ଶ୍ରଦ୍ଧାଳୁ ଘରେ ବସି ଟିଭି ମାଧ୍ୟମରେ ପ୍ରତ୍ୟେକଟି ନୀତି ଦେଖି ଭାବ ବିହ୍ଵଳିତ ହୋଇପଡିଥିଲେ। ପ୍ରତ୍ୟକ୍ଷ ଭାବେ ଦେଖି ପାରିନଥିବାରୁ ଅଧିକାଂଶ ଭକ୍ତଙ୍କ ମନରେ ଥିଲା ଦୁଃଖ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.