ଆହ୍ଲାବାଦ ହାଇକୋର୍ଟରେ ନିଜ ପକ୍ଷ ରଖିଲେ ହାଥରସ୍ ପୀଡିତାଙ୍କ ପରିବାର : ନଭେମ୍ବର ୨ରେ ପରବର୍ତ୍ତୀ ଶୁଣାଣି, କଡା ସୁରକ୍ଷାରେ ଆସିଲେ-ଗଲେ

Published By : Prameya-News7 Bureau | October 12, 2020 IST

ଲକ୍ଷ୍ନୌ, ୧୨୧୦ଆହ୍ଲାବାଦ ହାଇକୋର୍ଟର ଖଣ୍ଡପୀଠ ହାଥରସ ମାମଲାରେ ଶୁଣାଣି କରିଛନ୍ତି । କୋର୍ଟରେ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲାରେ ପୀଡିତାଙ୍କ ପରିବାର ସଦସ୍ୟ ନିଜର ପକ୍ଷ ରଖିଥିଲେ । ଦିନ ୨ଟା ୩୦ରୁ ଆରମ୍ଭ ହୋଇଥିବା ଏହି ଶୁଣାଣି ଅପରାହ୍ନ ୪ଟା ଯାଏଁ ଚାଲିଥିଲା । ପୀଡିତା ପରିବାର ସଦସ୍ୟଙ୍କ ସହ ଗୃହ ବିଭାଗର ସଚିବ ଅବନୀଶ ଅଗସ୍ତି, ଡିଜିପି ଏଚସି ଅଗସ୍ତି ଓ ସ୍ଥାନୀୟ ପ୍ରଶାସନ, ଡିଏମ ଓ ଏସପି ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହି ମାମଲାର ଆଗାମୀ ଶୁଣାଣି ନଭେମ୍ବର ୨ରେ ଅନୁଷ୍ଠିତ ହେବ ।

ହାଥରସ୍ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍ ସମ୍ମୁଖରେ ୟୁପି ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ମହାଧିବକ୍ତା ବିକେ ଶାହି ନିଜର ପକ୍ଷ ରଖିଥିଲେ । ସେ କହିଥିଲେ ଯେ, କୋର୍ଟ ପୀଡିତାଙ୍କ ପରିବାରଙ୍କୁ ପଚରାଉଚରା କରିଥିଲେ। ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ କୋର୍ଟ ପ୍ରଶ୍ନ କରିଥିଲେ । ମାମଲା ଏବେ ବିଚରାଧିନ ଅଛି । ଏହାର ଆଗାମୀ ଶୁଣାଣି ନଭେମ୍ବର ୨ରେ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ, ସୋମବାର ପୀଡିତାଙ୍କ ପରିବାର ସଦସ୍ୟ କଡା ସୁରକ୍ଷା ମଧ୍ୟରେ ହାଥରସରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଦିନରେ ସେ ଆହ୍ଲାବାଦ କୋର୍ଟରେ ପହଁଚିଥିଲେ ।

ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ପୀଠ ହାଥରସ କାଣ୍ଡରେ ବୟାନ ଦେବା ପାଇଁ ମୃତ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଡାକିଥିଲେ । ଅକ୍ଟୋବର ୧ରେ ନ୍ୟାୟମୂର୍ତ୍ତି ରାଜୟ ରାୟ ଓ ନ୍ୟାୟମୂର୍ତ୍ତି ଜସପ୍ରିତ ସିଂହ ରାଜ୍ୟର ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଅତିରିକ୍ତ ପୋଲିସ ଡିଜି, ଜିଲ୍ଲାପାଳଙ୍କୁ ଘଟଣାର ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଚେମ୍ବର ୧୪ ତାରିଖରେ ହାଥରସ ଜିଲ୍ଲାର ଚନ୍ଦପା ଥାନା ଅଞ୍ଚଳରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହି ଘଟଣା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ୨୯ ତାରିଖରେ ଶେଷ ନିଶ୍ୱାସ  ତ୍ୟାଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.