ହାଥରସ ମାମଲା: ଶେଷ ହେଲା SITର ତଦନ୍ତ, ୟୁପି ସରକାରଙ୍କୁ ଶୀଘ୍ର ହସ୍ତାନ୍ତର କରିବ ରିପୋର୍ଟ

Published By : Prameya-News7 Bureau | October 16, 2020 IST

ହାଥରସ ୧୬/୧୦: ହାଥରସ ଗଣଦୁଷ୍କର୍ମ ମାମଲା ତଦନ୍ତ ପାଇଁ ଗଠନ ହୋଇଥିବା ସ୍ବତନ୍ତ୍ର ତଦନ୍ତ ଦଳ (ଏସଆଇଟି)ର ତଦନ୍ତ ଶେଷ ହୋଇଛି। ଏସଆଇଟି ତାର ରିପୋର୍ଟ ଖୁବଶୀଘ୍ର ଉତ୍ତର ପ୍ରଦେଶ ସରକାରଙ୍କୁ ହସ୍ତାନ୍ତର କରିବ। ଏ ମାମଲାରେ କିନ୍ତୁ ସିବିଆଇ ତଦନ୍ତ ଜାରି ରହିଛି। ଆଜି ଅଭିଯୁକ୍ତଙ୍କୁ ସିବିଆଇ ରିମାଣ୍ଡରେ ନେବାକୁ ଚେଷ୍ଟା କରିବ। ଗୁରୁବାର ସିବିଆଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପରିବାରକୁ ପଚରାଉଚରା କରିଥିଲା।

ଗୁରୁବାର ସୁପ୍ରିମ କୋର୍ଟରେ ପୀଡ଼ିତାଙ୍କ ପରିବାରର ସୁରକ୍ଷା ଉପରେ ଶୁଣାଣି ହୋଇଥିଲା। ପୀଡ଼ିତା ପରିବାର ଓକିଲଙ୍କ ପକ୍ଷରୁ ଦିଲ୍ଲୀରେ କେସ ଟ୍ରାଏଲ କରିବା ପାଇଁ ଦାବି କରାଯାଇ ଥିଲା। ଏହା ସହ ସିବିଆଇ ରିପୋର୍ଟ ସିଧା ସୁପ୍ରିମକୋର୍ଟରେ ଦାଖଲ କରିବା ପାଇଁ ମଧ୍ୟ କୁହାଯାଇଛି। ତେବେ କୋର୍ଟ ଏବେ ତାଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି।

ସେପ୍ଟେମ୍ବର ୧୪ରେ ଏହି ମାମଲା ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା। ଅକ୍ଟୋବର ୧୩ରୁ ମାମଲାର ତଦନ୍ତ କରୁଛି ସିବିଆଇ। ପ୍ରଥମଦିନ ଘଟଣାସ୍ଥଳ ତଥା ଯେଉଁଠି ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇ ଥିଲା ସେଠାକୁ ଯାଇଥିଲା ସିବିଆଇ। ସେଠାରୁ ସିବିଆଇ କିଛି ନମୁନା ସଂଗ୍ରହ କରିଥିଲା। ଏହା ସହ ପୀଡ଼ିତାଙ୍କ ଭାଇକୁ ମଧ୍ୟ ଜେରା କରିଥିଲା।

ଅକ୍ଟୋବର ୧୪ରୁ ସିବିଆଇ ଟିମ ପୀଡ଼ିତାଙ୍କ ଦୁଇ ଭାଇ ଓ ବାପାଙ୍କୁ ଜେରା କରିଛି। ସେପ୍ଟେମ୍ବର ୧୪ରେ ଘଠଣାକ୍ରମକୁ ସିବିଆଇ ବୁଝିଲା। ଅକ୍ଟୋବର ୧୫ରେ ସିବିଆଇ ଅଭିଯୁକ୍ତଙ୍କ ପରିବାରକୁ ଜେରା କରିଛି ଓ ସେମାନଙ୍କ ମତାମତ ଜାଣିଛି। ଅବଶ୍ୟ ୪ ଜଣ ଅଭିଯୁକ୍ତ ଏବେ ଜେଲରେ ଅଛନ୍ତି। ଆଜି ମଧ୍ୟ ସିବିଆଇ ତଦନ୍ତ ଆଗକୁ ବଢ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.