ସାମ୍ନାକୁ ଆସିଲା ହାଥରସ୍‌ ଘଟଣାସ୍ଥଳର ଭିଡିଓ, ଏଣେତେଣେ ପଡ଼ିଛି ୪ଟି ଦା’, ଗୋଟିଏ ଚପଲ

Published By : Prameya-News7 Bureau | October 08, 2020 IST

ନୂଆଦିଲ୍ଲୀ ୦୮/୧୦: ବହୁ ଚର୍ଚ୍ଚିତ ହାଥରସ୍‌ ମାମଲାରେ ତଦନ୍ତ ଚାଲିଥିବା ବେଳେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି । ଘଟଣାସ୍ଥଳର ଏହି ଭିଡିଓ ସେପ୍ଟେମ୍ବର ୧୪ ତାରିଖରେ ସୁଟିଂ କରାଯାଇଥିବା ଜଣାପଡ଼ିଛି । ଭିଡିଓରେ ଘଟଣା ପରବର୍ତ୍ତୀ ସ୍ଥିତି ରେକର୍ଡ ହୋଇଛି । ଯେଉଁଥରେ ଦା, ଚପଲ ସମେତ ଅନ୍ୟ ଜିନିଷ ସବୁ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି ।

ଘଟଣାସ୍ଥଳରୁ କିଛି ଦୂରରେ ପୀଡ଼ିତାଙ୍କ ମା’ ଥିବା କୁହାଯାଉଛି । ଯଦି ତାଙ୍କ ମା’ ଥିଲେ ତାଙ୍କୁ ଶବ୍ଦ ଶୁଭିବା କଥା । ପୋଲିସ୍‌ର ସୂଚନା ଅନୁସାରେ ଘଟଣା ପରେ ଟିମ୍‌ ପହଞ୍ଚି ଏହି ଭିଡିଓ ରେକର୍ଡ କରିଛି । ଭିଡିଓରେ ୪ଟି ଦା’, ଗୋଟିଏ ଚପଲ, ଖଣ୍ଡ ବିଖଣ୍ଡିତ ଜିନିଷ ପତ୍ର ପଡ଼ି ରହିଛି ଯାହା ଦର୍ଶାଉଛି ଘଟଣାସ୍ଥଳରେ ଅନେକ ଲୋକ ଉପସ୍ଥିତ ଥିଲେ । ଏବେ ଏହି ଭିଡିଆ ସାମ୍ନାକୁ ଆସିବା ପରେ ଏହାକୁ ସିବିଆଇକୁ ହସ୍ତାନ୍ତର କରିବ ବୋଲି ୟୁପି ପୋଲିସ କହିଛି । ଘଟଣା ପରବର୍ତ୍ତୀ ସ୍ଥିତିର ଏହି ଭିଡିଓ ଯାଞ୍ଚ ଏଜେନ୍ସିକୁ ସହାୟତା କରିବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ହାଥରସ୍‌ ଜିଲ୍ଲାର ଏକ ଗାଁରେ ୧୪ ସେପ୍ଟେମ୍ବର ଦିନ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ୪ ଜଣ ଦୁଷ୍ମର୍ମ କରିଥିବା ଅଭିଯୋଗ ହୋଇଥିଲା । ୨୯ ସେପ୍ଟେମ୍ବରରେ ଚିକିତ୍ସିତ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ପରେ ତରବରିଆ ଭାବେ ପୋଲିସ ରାତିଅଧିଆ ଯୁବତୀଙ୍କ ଅନ୍ତିମ ସଂସ୍କାର କରିବାକୁ କହିଥିଲା। ଯାହାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଥିଲା। ପ୍ରଥମେ ୟୁପି ସରକାର ଘଟଣାର ଯାଞ୍ଚ ପାଇଁ ତିନି ଜଣିଆ ସଦସ୍ୟ ବିଶିଷ୍ଟ ଏସ୍‌ଆଇଟି ଗଠନ କରିଥିଲେ । ପରେ ସରକାର ଓ ପୋଲିସର କାର୍ଯ୍ୟ ଉପରେ ବିରୋଧୀ ପ୍ରଶ୍ନ ଉଠାଇବା ପରେ ସୋମବାର ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଛନ୍ତି ଉତ୍ତରପ୍ରଦେଶ ସରକାର ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.