ହାଥରସ ଗଣଦୁଷ୍କର୍ମ ମାମଲାରେ ଯୋଗୀଙ୍କ ସହ କଥା ହେଲେ ପିଏମ ମୋଦି, ଗଠନ ହେଲା ଏସଆଇଟି, ଫାଷ୍ଟଟ୍ରାକ୍ କୋର୍ଟରେ ଚାଲିବ ମାମଲା

Published By : Prameya-News7 Bureau | September 30, 2020 IST

ନୂଆଦିଲ୍ଲୀ ୩୦/୦୯: ହାଥରସ ଗଣଦୁଷ୍କର୍ମ ମାମଲାର ଗମ୍ଭୀରତାକୁ ଦୃଷ୍ଟି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଛନ୍ତି। ଏହା ସହ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ମୋଦି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସୂଚନା ଟ୍ବିଟ୍ କରି ଜଣାଇଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସରେ ମାମଲାରେ ଆଜି ତିନିଜଣ ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ କରିଛନ୍ତି। ଏହାର ଅଧ୍ୟକ୍ଷ ରହିବେ ଗୃହ ସଚିବ ଭଗବାନ ସ୍ବରୂପ। ଏ ମାମଲାରେ ଏସଆଇଟିକୁ ସାତ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ କୁହାଯାଇଛି।

ଏହା ସହ ଦୋଷୀଙ୍କ ବିରୋଧରେ ଫାଷ୍ଟ୍ରଟ୍ରାକ କୋର୍ଟରେ ମାମଲା ଚଳାଇବାକୁ ନିର୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ ପୋଲିସ ଅଧୀକ୍ଷକ ବିକ୍ରାନ୍ତ ବୀର କହିଛନ୍ତି ଯୁବତୀଙ୍କ ଅନ୍ତିମ ସଂସ୍କାର ଗତକାଲି ରାତି ପ୍ରାୟ ୨ଟାରେ ଘର ଲୋକଙ୍କ ସହମତିରେ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ କରାଯାଇଛି।

ସୁଚନାଯୋଗ୍ୟ, ହାଥରସ ଜିଲ୍ଲାରେ ସେପ୍ଟେମ୍ବର ୧୪ରେ ଗଣଦୁଷ୍କର୍ମର ଶିକାର ହୋଇଥିବା ୧୯ ବର୍ଷୀୟା ଦଳିତ ଯୁବତୀ ଗତକାଲି ଦିଲ୍ଲୀର ସଫଦରଗଞ୍ଜ ହସପିଟାଲରେ ପ୍ରାଣ ହରାଇ ଥିଲେ। ପୋଲିସ ଏ ମାମଲାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.