ହାଥରସ୍ କେସ: ପୀଡିତାଙ୍କ ଘରର ବଢିଲା ସୁରକ୍ଷା ବ୍ୟବସ୍ଥା, ସକ୍ରିୟ ହୋଇ ଉଠିଲା ଗୁଇନ୍ଦା ବିଭାଗ, ଗାଁରେ ୨୪ ଘଣ୍ଟା ପହରା ଦେଉଛନ୍ତି ସିଆରପିଏଫ ଯବାନ
20/12/2020 at 4:37 PM

ହାଥରସ୍ ୨୦।୧୨: ଉତ୍ତର ପ୍ରଦେଶରେ ୧୯ ବର୍ଷୀୟ ଦଳିତ ଯୁବତୀ ସହିତ ଗଣଦୁଷ୍କର୍ମ ମାମଲାରେ ସିବିଆଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଏହା ପରେ ଜିଲ୍ଲାଠୁ ନେଇ ପୀଡିତାଙ୍କ ଗାଁ ପର୍ଯ୍ୟନ୍ତ ଗୁଇନ୍ଦା ବିଭାଗ ସକ୍ରିୟ ହୋଇ ଉଠିଛି। ଗାଁ ଭିତରେ ଓ ମୃତକ ଯୁବତୀଙ୍କ ଘରେ ମୁତୟନ ସିଆରପିଏଫ ମଧ୍ୟ ପୀଡିତ ପରିଜନଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଛି। ଗାଁରେ ଯବାନ ୨୪ ଘଣ୍ଟା ପହରା ଦେଉଛନ୍ତି। ଆଖପାଖ ରାସ୍ତାରେ ତାର ଲଗାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ସିବିଆଇ ଦଳ ନିଜର ତଦନ୍ତ ପରେ ଅଲିଗଢ ଜେଲ୍ରେ ଥିବା ଗଣଦୁଷ୍କର୍ମର ଚାରି ଅଭିଯୁକ୍ତଙ୍କ ବିରୋଧରେ ହାଥରସ୍ କୋର୍ଟରେ ଜଉମୁଦ ଲଫାପାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ଗତ ତିନି ମାସ ଧରି ତଦନ୍ତ କରୁଥିବା ସିବିଆଇ ଦଳ ନିଜର ଯାଞ୍ଚରେ କାହାରିକୁ ବାଦ୍ ଦେଇନି। ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ ହେବା ପରେ ଗୁଇନ୍ଦା ବିଭାଗ ପୁଣି ଥରେ ସତର୍କ ହେବା ସହ ସକ୍ରିୟ ହୋଇ ଉଠିଛି।
ଡ୍ୟୁଟିରେ ଥିବା ଏଲଆଇୟୁ କର୍ମୀ ଲୋକଙ୍କ ଉପରେ କଡା ନଜର ରଖୁଛନ୍ତି। ଯିବା ଆସିବା କରୁଥିବ ପ୍ରତିଟି ବ୍ୟକ୍ତି ଉପରେ ନଜର ରଖାଯାଉଛି। ସୁରକ୍ଷା ଦୃଷ୍ଟି କୋଣରୁ ସିଆରପିଏଫ ମଧ୍ୟ ନିଜ ସ୍ତରରେ କଡା ବ୍ୟବସ୍ଥା ଗ୍ରହଣ କରିଛି। ପୀଡିତ ପରିଜନଙ୍କ ଘର ବାହାରେ ଏକ କୋଠରୀର ଆଖପାଖରେ କଣ୍ଟିଲେ ତାର ଲଗାଯାଇଛି। ପୀଡିତ ପରିଜନଙ୍କ ଘରକୁ ଯିବା ଆସିବା କରୁଥିବା ପ୍ରତିଟି ଲୋକଙ୍କର ତଲାସି ନିଆଯାଉଛି। ଏପରିକି ସେମାନଙ୍କର ନାମ ଓ ଠିକଣା ମଧ୍ୟ ରେଜିଷ୍ଟର କରାଯାଉଛି।