କୃଷି ଆନ୍ଦୋଳନ ନେଇ କର୍ନାଲ୍ରେ ହିଂସା ଘଟଣା, ୭୧ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ୍
11/01/2021 at 9:51 AM

ନୂଆଦିଲ୍ଲୀ, ୧୦/୦୧: ହରିୟାଣାର କରନାଲରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସଭା ସମୟରେ ହୋଇଥିବା ହିଂସାରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଇଛି। ମାମଲାରେ ଜଡ଼ିତ ଥିବା ୭୧ଜଣଙ୍କ ବିରୋଧରେ ପୋଲିସ୍ ମାମଲା ରୁଜୁ କରିଛି। ଏହି ମାମଲାରେ ସାର୍ବଜନୀକ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଅଭିଯୋଗରେ ମାମଲା ହୋଇଛି। କୃଷକଙ୍କ ଆନ୍ଦୋଳନ କାରଣରୁ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ତାଙ୍କ କାର୍ଯ୍ୟକ୍ରମ ବାତିଲ୍ କରିବାକୁ ପଡ଼ିଥିଲା।
କୃଷି ଆଇନ୍କୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ପାଖାପାଖି ୫୦ ଦିନ ପୂରଣ ହେବାକୁ ବସିଲାଣି। ହେଲେ ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ହେଉଥିବା ଆଲୋଚନାର କୌଣସି ସୁଫଳ ମିଳିପାରି ନାହିଁ। ଦିଲ୍ଲୀରେ ପଡ଼ୁଥିବା ଥଣ୍ଡା ସତ୍ତ୍ୱେ ହଜାର ହଜାର କୃଷକ ଆନ୍ଦୋଳନ ଜାରି ରଖିଛନ୍ତି। କିଛିଦିନ ତଳେ ଜଣେ କୃଷକ ଏହାକୁ ନେଇ ଆତ୍ମହତ୍ୟା କରିଥିବା ଖବର ସମ୍ନାକୁ ଆସିଥିଲା। ଏହି ଆନ୍ଦୋଳନକୁ ନେଇ ବିପକ୍ଷ ଦଳ ଲଗାତର ଭାବେ ମୋଦି ସରକାରଙ୍କୁ ଘୋରୁଛନ୍ତି। ପଞ୍ଜାବରେ କୃଷକମାନେ ଉତ୍କ୍ଷିପ୍ତ ହୋଇ ମୁକେଶ ଅମ୍ୱାନୀଙ୍କୁ ବିରୋଧ କରି ଜିଓ ଟାୱାର ଗୁଡ଼ିକୁ ଭାଙ୍ଗିବାର ଘଟଣା ଦେଖିବାକୁ ମିଳିଥିଲା।
ତେବେ ଆଜି ସୁପ୍ରିମ୍ କୋର୍ଟ କୃଷି ଆଇନ୍ ଏବଂ ଦିଲ୍ଲୀ ସୀମାରେ ଜାରି ରହିଥିବା କୃଷି ଆନ୍ଦୋଳନକୁ ନେଇ ଶୁଣାଣି କରିବେ। ପୂର୍ବରୁ ହୋଇଥିବା ବୈଠକରେ କୌଣସି ସମାଧାନ ହୋଇପାରିନଥିଲା। ସରକାର ଏନେଇ ମାମଲା ସୁପ୍ରିମ୍ କୋର୍ଟ ବିଚାର କରିବ ବୋଲି କହିଥିଲେ।