ହରିୟାଣାରେ ଆଜି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ ବିଜେପି

Published By : Prameya-News7 Bureau | October 26, 2019 IST

ଚଣ୍ଡିଗଡ ୨୬।୧୦:  ହରିୟାଣାରେ ଆଜି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ ବିଜେପି । ବିଜେପି ସରକାରକୁ ସମର୍ଥନ ଦେବ ଜେଜେପି । ଏଥିସହିତ କିଛି ସ୍ବାଧୀନ ବିଧାୟକ ମଧ୍ୟ ସରକାରକୁ ସମର୍ଥନ କରିଥିବାରୁ ସେମାନେ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ।

ଗତକାଲି ଅମିତ ଶାହାଙ୍କ ବାସଭବନରେ ବସିଥିବା ବୈଠକରେ ବିଜେପି-ଜେଜେପି ମେଣ୍ଟର ଫର୍ମୁଲା ଚୂଡ଼ାନ୍ତ ହୋଇଛି । ଏହି ବୈଠକରେ ଜେଜେପି ଅଧ୍ୟକ୍ଷ ଦୁଷ୍ୟନ୍ତ ଚୌତାଲାଙ୍କ ସହିତ ଅମିତ ଶାହା ଓ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଉପସ୍ଥିତ ଥିଲେ । ମେଣ୍ଟ ଫର୍ମୁଲା ଅନୁସାରେ ବିଜେପିରୁ ମୁଖ୍ୟମନ୍ତ୍ରୀ ଏବଂ ୧୦ ଆସନରେ ବିଜୟୀ ହୋଇଥିବା ଜନନାୟକ ଜନତା ପାର୍ଟି ବା ଜେଜେପିର ଉପମୁଖ୍ୟମନ୍ତ୍ରୀ ହେବେ ।

ଫଳରେ ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି । ୨ ଦଳର ନେତା ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ । ବିଜେପିର ହରିୟାଣା ପ୍ରଭାରୀ ଅନିଲ ଜୈନ କହିଛନ୍ତି ଯେ, ଆଜି ଚଣ୍ଡୀଗଡ଼ରେ ବିଧାୟକ ଦଳ ବୈଠକ ବସିବ । ଏଥିରେ ବିଧାୟକ ଦଳ ନେତା ମନୋନୀତ ହେବେ ।

ସେହିପରି ବହୁମତ ଠାରୁ ୬ ଟି ଆସନ ପଛରେ ରହିଯାଇଥିବା ବିଜେପିକୁ ଆଇ.ଏନ.ଏଲ.ଡି.ର ବିଧାୟକ ଅଭୟ ସିଂହ ଚୌତାଲା ଏବଂ ଏଚ୍.ଏଲ୍.ପି.ର ଗୋପାଲ କାଣ୍ଡା ମଧ୍ୟ ସମର୍ଥନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.