ଲକ୍‌ଡାଉନ୍ ବଢିବା ପରେ ରାଜ୍ୟ ସରକାରଙ୍କ ଘୋଷଣା, ଗରିବ ପରିବାରଙ୍କୁ ମିଳିବ ୫ ହଜାର ଟଙ୍କା

Published By : Prameya-News7 Bureau | May 10, 2021 IST

ଚଣ୍ଡିଗଡ ୧୦।୦୫: କରୋନା ସଂକ୍ରମଣ ରୋକିବା ପାଇଁ ଲାଗୁ ଲକ୍‌ଡାଉନ୍‌ର ଗୁରୁତର ପ୍ରଭାବ ପଡିଛି ଗରିବ ଲୋକଙ୍କ ଉପରେ। ସେମାନଙ୍କର ଜୀବନଜୀବିକାର ପନ୍ଥା ବନ୍ଦ ହୋଇ ଯାଇଛି। ଏହା ମଧ୍ୟରେ ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିବା ପରିବାରଙ୍କୁ ସାହାଯ୍ୟ ପାଇଁ ହରିୟାଣା ସରକାର ବଡ ଘୋଷଣା କରିଛନ୍ତି। ରାଜ୍ୟର ମନୋହର ଲାଲ ଖଟ୍ଟର ସରକାର ଗରିବ ପରିବାରକୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ସରକାରଙ୍କ ମତରେ ଲକ୍‌ଡାଉନ୍ କାରଣରୁ ଗରିବ ପରିବାରର ରୋଜଗାର ପନ୍ଥା ବନ୍ଦ ହୋଇ ଯାଇଛି। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି  ନିଆଯାଇଛି।

ରାଜ୍ୟର ଗୃହ ମନ୍ତ୍ରୀ ଅନିଲ୍ ବିଜ୍ ସୋମବାର କହିଛନ୍ତି, ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରକୁ ୫ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି। ହରିୟାଣା ସରକାର ଲକ୍‌ଡାଉନ୍ ଅବଧି ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ଏହି କଡା ପଦକ୍ଷେପ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଛି। ହେଲେ ଏଥିରେ ଗୁରୁତର ଭାବେ ପ୍ରଭାବିତ  ହେଉଛନ୍ତି ଗରିବ ଏବଂ ଦିନ ମଜୁରିଆ ଶ୍ରେଣୀର ଲୋକେ।

ଗତ ସପ୍ତାହରେ ହରିୟାଣା ସରକାର ରାଜ୍ୟରେ ମେ ୩ ରୁ ମେ ୧୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଲାଗୁ କରିଥିଲା। ହେଲେ ସ୍ଥିତିରେ ସୁଧାର ନଆସିବାରୁ ଲକ୍‌ଡାଉନ୍‌ ଅବଧିକୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି। ବିବାହ ଓ ଅନ୍ତୋଷ୍ଟି କ୍ରିୟାରେ ୧୧ରୁ ଅଧିକ ଲୋକଙ୍କ ଉପରେ କଟକଣା ଲାଗୁ  ହୋଇଛି। ବିବାହ କେବଳ ଘର ଭିତରେ ଏବଂ ଅଦାଲତରେ ହୋଇପାରିବ ବୋଲି ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.