ହରିୟାଣା କ୍ୟାଡର ଆଇଏଏସ୍ ଅଧିକାରୀଙ୍କ ଇସ୍ତଫା, ‘ଡ୍ୟୁଟିରେ ବ୍ୟକ୍ତିଗତ ସୁରକ୍ଷା’କୁ ଦର୍ଶାଇଲେ କାରଣ

Published By : Prameya-News7 Bureau | May 05, 2020 IST

ଚଣ୍ଡିଗଡ ୫।୫: ହରିୟାଣା କ୍ୟାଡରର ୨୦୧୪ ବ୍ୟାଚ୍ ର ଜଣେ ଆଇଏଏସ୍ ଅଧିକାରୀ ସୋମବାର ଇସ୍ତଫା ଦେଇଛନ୍ତି । ସରକାରୀ ଡ୍ୟୁଟି ସମୟରେ ବ୍ୟକ୍ତିଗତ ସୁରକ୍ଷାକୁ କାରଣ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି ।

୩୫ ବର୍ଷ ବୟସ୍କ ରାନୀ ନାଗର ବର୍ତ୍ତମାନ ଅଭିଲେଖାଗାର ବିଭାଗର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଅଛନ୍ତି । ସେ ତାଙ୍କ ଇସ୍ତଫାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇଦେଇଛନ୍ତି । ଇସ୍ତଫା ପତ୍ର କେନ୍ଦ୍ର ସରକାରଙ୍କ ଦକ୍ଷ ଅଧିକାରୀଙ୍କ ନିକଟକୁ ପଠାଇବାକୁ ଅନୁରୋଧ କରିଛନ୍ତି । ନାଗର କହିଛନ୍ତି ଯେ, ସେ ଇସ୍ତଫା ପତ୍ରର ଏକ ନକଲକୁ ଇମେଲ୍ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ହରିୟାଣାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଉଛନ୍ତି । ସେ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ, ଇସ୍ତଫା ପତ୍ର ଦାଖଲ କରିବାର କାରଣ ହେଉଛି ସରକାରୀ ଡ୍ୟୁଟିରେ ବ୍ୟକ୍ତିଗତ ସୁରକ୍ଷା । ସେ ତାଙ୍କ ଇସ୍ତଫା ପତ୍ରକୁ ଫେସବୁକରେ ମଧ୍ୟ ପୋଷ୍ଟ କରିଛନ୍ତି । ପରେ ସେ ଚଣ୍ଡିଗଡରୁ ନିଜ ସହର ଗାଜିଆବାଦକୁ ଚାଲିଯାଇଗଲେ ।

ବିରୋଧୀ କଂଗ୍ରେସ ତାଙ୍କ ଇସ୍ତଫାକୁ ଆଶ୍ଚର୍ଯ୍ୟଜନକ କହିଛି । ଏହା କ’ଣ ତାଙ୍କ ବିଫଳତାର ପ୍ରମାଣ ନୁହେଁ କି ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ ।

ଜୁନ୍ ୨୦୧୮ରେ ରାନୀ ନାଗର ଚର୍ଚ୍ଚାରେ ଆସିଥିଲେ ଯେତେବେଳେ ଜଣେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ତରର ଅଧିକାରୀଙ୍କ ବିରୋଧରେ ଶୋଷଣ ଅଭିଯୋଗ କରିଥିଲେ । ମାତ୍ର ଅଧିକାରୀ ଜଣଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.