ଦିଲ୍ଲୀ ଅଭିମୁଖେ ଆନ୍ଦୋଳନକାରୀ କୃଷକଙ୍କ ରାଲି, ଅଟକାଇବାକୁ ହରିୟାଣା ସୀମାରେ ରାସ୍ତା ଖୋଳିଦେଲା ପ୍ରଶାସନ

Published By : Prameya-News7 Bureau | November 27, 2020 IST

ନୂଆଦିଲ୍ଲୀ ୨୭।୧୧: ହରିୟାଣା ରାସ୍ତା ଦେଇ ପଞ୍ଜାବରୁ ଦିଲ୍ଲୀ ଆସୁଥିବା କୃଷକଙ୍କ ରାଲି ସମୟରେ ହରିୟାଣା ସରକାର ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦେଇଛି । ଆନ୍ଦୋଳନକାରୀଙ୍କୁ ଦିଲ୍ଲୀରେ ପ୍ରବେଶ କରିବାରୁ ଅଟକାଇବା ପାଇଁ ଦିଲ୍ଲୀ କରନାଲ ରାଜପଥର ଗନୌର ନିକଟରେ ରାସ୍ତାକୁ ଖୋଳିଦିଆଯାଇଛି । ରାଜପଥରେ କେବଳ କୃଷକ ନୁହଁନ୍ତି କୌଣସି ଯାନବାହାନ ଚଳାଚଳ ପାଇଁ ମଧ୍ୟ ଅନୁମତି ପ୍ରଦାନ କରଯାଇନାହିଁ । ହରିୟାଣାର ସମସ୍ତ ସୀମା ସିଲ୍ କରିବା ସହ ସେହି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି ।

କୃଷି ବିଲ୍ ବରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକମାନେ ସିନ୍ଧୁ ସୀମା ରାସ୍ତାରେ ଦିଲ୍ଲୀକୁ ଆସିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏହି ରାସ୍ତାରେ ହଜାର ହଜାର ସଂଖ୍ୟକ କୃଷକ ଦିଲ୍ଲୀ ଅଭିମୁଖେ ଆସୁଛନ୍ତି । କୃଷକମାନଙ୍କୁ ଅଟକାଇବା ପାଇଁ ଏହି ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ରାଜପଥରେ କୃଷକମାନଙ୍କ ଗତିବିଦ୍ଧି ଉପରେ ନଜର ରଖିବାକୁ ଡ୍ରୋନ୍ କ୍ୟାମେରା ମଧ୍ୟ ଲଗାଯାଇଛି ।

ସୂଚନାଯୋଗ୍ୟ ଯେ, କୃଷକମାନଙ୍କ ଆନ୍ଦୋଳନ ମଧ୍ୟରେ ହରିୟାଣାରେ ଅନେକ ସ୍ଥାନରେ ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପାଣି ସ୍ପ୍ରେ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା । ଗୋଟିଏ ପଟେ କୃଷକଙ୍କ ଆନ୍ଦୋଳନକୁ ନେଇ ହରିୟାଣା ଓ ପଞ୍ଜାବ ସରକାର ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଅନ୍ୟପଟେ ହରିୟାଣାରୁ ଦିଲ୍ଲୀ ପର୍ଯ୍ୟନ୍ତ କୃଷକଙ୍କ ଆନ୍ଦୋଳନକୁ ନେଇ ଅନିଶ୍ଚିତତା ମଧ୍ୟ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.