ଭଜିଙ୍କ ଦୁଃଖ: ମୋର କ୍ରିକେଟ ଶୋଷ ମେଣ୍ଟିନି, କିନ୍ତୁ ସିଲେକ୍ଟରଙ୍କୁ ଲାଗୁଛି ମୁଁ ବୁଢା ହୋଇଯାଇଛି
25/05/2020 at 4:06 PM

ମୁମ୍ବାଇ, ୨୫|୦୫: ଭାରତୀୟ ଦଳର ବରିଷ୍ଠ ଖେଳାଳି ତଥା ସ୍ପିନର ହରଭଜନ ସିଂ ଗତ ୪ ବର୍ଷ ହେଲା କୌଣସି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିନାହାଁନ୍ତି । ସେ ଏବେବି ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା ରଖିଛନ୍ତି । ସେ ୨୦୦୭ ଟି୨୦ ବିଶ୍ୱକପ ଓ ୨୦୧୧ ବିଶ୍ୱକପ ବିଜୟୀ ଦଳରେ ସଦସ୍ୟ ଥିଲେ । ତେବେ ଆଗାମୀ ଟି୨୦ ବିଶ୍ୱକପରେ ସେ ଦଳକୁ ଫେରିବେ ବୋଲି ଆଶା ରଖିଛନ୍ତି । ସେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।

ଇଏସପିଏନ୍ କ୍ରିକେଟ ଇନଫୋକୁ ଭଜି କହିଛନ୍ତି ଯେ, ସେ ଆଇପିଏଲରେ ଭଲ ବୋଲିଂ କରିପାରିବେ । ଯାହା ବୋଲରଙ୍କ ପାଇଁ ଏକ କଠିନ ଟୁର୍ଣ୍ଣାମେଣ୍ଟ । ଏଥିରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟସମ୍ୟାନମାନେ ଖେଳିଥାନ୍ତି । ଯଦି ଆପଣ ଆଇପିଏଲରେ ଭଲ ବୋଲିଂ କରିବେ ତେବେ ଟି୨୦ରେ ଭଲ ପ୍ରଦର୍ଶନ କରିପାରିବେ । ଅନ୍ତର୍ଜାତୀୟ ଦଳରେ ସମସ୍ତ ଟିମ୍ ପାଖରେ ସବୁ ପ୍ରକାରର ଖେଳାଳି ନଥାନ୍ତି । କିନ୍ତୁ ଆଇପିଏଲରେ ଏପରି ହୋଇଥାଏ । ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପାଖରେ ଭଲ ବ୍ୟାଟିଂ ଲାଇନ୍ ଅପ୍ ରହିଛି ।
ସେ ଆହୁରି କହିଛନ୍ତି ଯେ, ସିଲେକ୍ଟର ତାଙ୍କୁ ଆଉ ଧ୍ୟାନ ଦେଉନାହାଁନ୍ତି । ସେମାନଙ୍କୁ ଲାଗୁଛି ଯେ ସେ ଏବେ ବୁଢା ହୋଇଯାଇଛନ୍ତି । ଏହା ବ୍ୟତୀତ ସେ କୌଣସି ଘରୋଇ କ୍ରିକେଟ୍ ମଧ୍ୟ ଖେଳୁନାହାଁନ୍ତି । ଆଇପିଏଲରେ ଭଲ ପ୍ରଦର୍ଶନ ସତ୍ୱେ ସିଲେକ୍ଟରମାନେ ତାଙ୍କୁ ନଜର ଅନ୍ଦାଜ କରିଛନ୍ତି ।

୨୦୧୬ ଏସିଆ କପରେ ହରଭଜନ ଶେଷଥର ପାଇଁ ଦଳ ତରଫରୁ ଟି୨୦ ମ୍ୟାଚ ଖେଳିଥିଲେ । ତେବେ ଆଇପିଏଲରେ ତାଙ୍କ ପ୍ରଦର୍ଶନ ଭଲ ରହିଛି । ସେ ମୁମ୍ବାଇ ତରଫରୁ ଖେଳି ଆସୁଥିବା ବେଳେ ଗତ ୨ ବର୍ଷ ହେଲେ ସେ ଚେନ୍ନାଇ ସୁପର୍ କିଙ୍ଗସ୍ ତରଫରୁ ଖେଳୁଛନ୍ତି । ସେ ଆଇପିଏଲରେ ୧୫୦ଟି ଓ୍ୱିକେଟ୍ ନେଇଥିବା ବେଳେ ତାଙ୍କର ଇକୋନୋମି ରହିଛି ୭.୦୫ ।