ମୋଦୀ ସରକାରଙ୍କୁ ଝଟକା, କୃଷି ଅଧ୍ୟାଦେଶ ବିରୋଧରେ କ୍ୟାବିନେଟ୍ରୁ ଇସ୍ତଫା ଦେବେ ମନ୍ତ୍ରୀ ହରସିମରତ କୌର ବାଦଲ
17/09/2020 at 8:17 PM

ନୂଆଦିଲ୍ଲୀ ୧୭।୦୯: କୃଷି ସମ୍ବନ୍ଧରେ ଅଧ୍ୟାଦେଶ ଆଣିବାକୁ ପ୍ରସ୍ତୁତ ହେଉଥିବା ମୋଦୀ ସରକାରଙ୍କୁ ଲାଗିଛି ଝଟକା। ବିଜେପିର ସହଯୋଗୀ ଶିରୋମଣି ଅକାଳି ଦଳ ଅଧ୍ୟାଦେଶକୁ ବିରୋଧ କରିଛି। ଗୁରୁବାର ଯେବେ ବିଧେୟକ ଲୋକସଭାରେ ଉପସ୍ଥାପିତ ହେଲା ଶିରୋମଣି ଅକାଳି ଦଳର ସାଂସଦ ସୁଖବୀର ସିଂହ ବାଦଲ ଏହାର ବିରୋଧ କରିଥିଲେ। ସେ ସରକାରଙ୍କୁ ବଡ ଝଟକା ଦେଇ କହିଛନ୍ତି ଯେ, ଏହି ଅଧ୍ୟାଦେଶ ବିରୋଧ ସ୍ଵରୂପ ହରସିମରତ କୌର ବାଦଲ ମନ୍ତ୍ରୀପଦରୁ ଇସ୍ତଫା ଦେବେ।
ସୁଖବୀର ସିଂହ ବାଦଲ କହିଛନ୍ତି ଶିରୋମଣି ଅକାଳି ଦଳର ସଦସ୍ୟ ତଥା କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ କ୍ୟାବିନେଟ୍ରୁ ଇସ୍ତଫା ଦେବେ। ଆମେ ଏହି ନିଷ୍ପତ୍ତି ବିଧେୟକ ବିରୋଧରେ ନେଇଛୁ। ଆମ ଦଳ ଏହି ବିଧେୟକକୁ ବିରୋଧ କରୁଛି। ବିଧେୟକରେ ଯେଉଁ ପ୍ରାବଧାନ ରହିଛି ସେଥିରେ ୨୦ ଲକ୍ଷ କୃଷକଙ୍କ ଉପରେ ପ୍ରଭାବ ପଡିବ। ସ୍ଵାଧୀନତା ପରେ ପ୍ରତିଟି ରାଜ୍ୟ ନିଜର ଯୋଜନା କରିଛନ୍ତି। ପଞ୍ଜାବ ସରକାର ଗତ ୫୦ ବର୍ଷ ଧରି ଚାଷ ପାଇଁ କାମ କରିଛି। ପଞ୍ଜାବରେ କୃଷକ ନିଜର ଖେତକୁ ନିଜର ପିଲା ଭାବିଥାଏ। ପଞ୍ଜାବ ନିଜର ପାଣି ଦେଶବାସୀଙ୍କ ପାଇଁ ବଳିଦାନ କରେ ବୋଲି ସୁଖବୀର ସିଂହ କହିଛନ୍ତି।
Shiromani Akali Dal strongly opposes the #AgricultureBill: SAD President Sukhbir Singh Badal in Lok Sabha pic.twitter.com/vN3uoyS03b
— ANI (@ANI) September 17, 2020
ଏହା ପୂର୍ବରୁ ପଞ୍ଜାର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ ଓ ଶିରୋମଣି ଅକାଳି ଦଳ ସଭାପତି ସୁଖବୀର ସିଂହ ବାଦଲଙ୍କୁ ଏନଡିଏ ମେଣ୍ଟ ଛାଡିବାକୁ ଚ୍ୟାଲେଞ୍ଜ କରିଥିଲେ। ଗୁରୁବାର ନିଜର ପ୍ରତିକ୍ରିୟାରେ କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ବାଦଲ ପରିବାର ଏବେ ମଧ୍ୟ ସରକାରଙ୍କ ସହିତ ଅଠା ପରି ଲାଗି ରହିଛନ୍ତି। ଅନ୍ୟପଟେ ମୋଦୀ ସରକାର କୃଷକଙ୍କ ବିରୋଧରେ ବିଧେୟକ ଆଣୁଛି।
କୃଷି ଅଧ୍ୟାଦେଶକୁ ନେଇ ଅଧିକାଂଶ ରାଜନୈତିକ ଦଳ କୃଷକଙ୍କ ସମର୍ଥନରେ ଅଛନ୍ତି। କଂଗ୍ରେସ ଓ ପଞ୍ଜାବ ସରକାର କୃଷକଙ୍କ ସମର୍ଥନରେ ଅଛନ୍ତି। ଶିରୋମଣି ଅକାଳି ଦଳ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ଛିଡା ହୋଇଛି। ଏନଡିଏରେ ସହଯୋଗୀ ଦଳ ହୋଇଥିଲେ ମଧ୍ୟ ଅକାଳି ଦଳ କୃଷି ଅଧ୍ୟାଦେଶ ସମ୍ବନ୍ଧିତ ବିଧେୟକରେ ସରକାରଙ୍କୁ ବିରୋଧ କରିବାକୁ ଘୋଷଣା କରିଛି।