ଡ.ହର୍ଷବର୍ଦ୍ଧନ ହେଲେ WHO କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ

Published By : Prameya-News7 Bureau | May 22, 2020 IST

ନୂଆଦିଲ୍ଲୀ ୨୨/୦୫ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୩୪ତମ କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ପଦବୀ ସମ୍ଭାଳିଛନ୍ତି | ତାଙ୍କ ପୂର୍ବରୁ ଜାପାନର ହିରୋକି ନକତନି ଅଧ୍ୟକ୍ଷ ଥିଲେ | ବର୍ତ୍ତମାନ କରୋନା ସଙ୍କଟ ସମୟରେ ଭାରତକୁ ଏହିଭଳି ଏକ ମହତ୍ଵପୁର୍ଣ ପଦବୀ ମିଳିବ ବହୁତ ଖୁସିର ଖବର | ଭାରତ କରୋନା ସଂକ୍ରମଣ ରୋକିବାକୁ ବହୁତ ପ୍ରୟାସ କରିଛି ଏବଂ ଏବେ ମଧ୍ୟ କରୋନା ବିରୋଧୀ ଯୁଦ୍ଧ ଜାରି ରହିଛି | ଭାରତ କେବଳ ନିଜ କଥା ଚିନ୍ତା ନ କରି ବିଶ୍ୱର ଅନେକ ଦେଶକୁ ସାହାଯ୍ୟ କରିଛି |


ଗତ ମଙ୍ଗଳବାର ଦିନ ୧୯୪ ଦେଶର ବିଶ୍ୱ ସ୍ୱାସ୍ଥ୍ୟ ସଭା ଦ୍ୱାରା ଭାରତକୁ କାର୍ଯ୍ୟନିର୍ବାହୀ ବୋର୍ଡରେ ନିଯୁକ୍ତ କରିବା ପ୍ରସ୍ତାବ ଉପରେ ହସ୍ତକଃହାର କରାଯାଇଥିଲା | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦକ୍ଷିଣ-ପୂର୍ବ ଏସିଆ ସମେତ ଗତ ବର୍ଷ ସର୍ବ ସମ୍ମତି ସହ ନିଷ୍ପତ୍ତି ନେଇଥିଲା ଯେ ଭାରତକୁ ୩ ବର୍ଷର କାର୍ଯ୍ୟକାଳ ପାଇଁ କାର୍ଯ୍ୟନିର୍ବାହୀ ବୋର୍ଡ ପାଇଁ ମନୋନୀତ କରାଯିବ |


ସୂଚନାଯୋଗ୍ୟ ଯେ, ଡ.ହର୍ଷବର୍ଦ୍ଧନଙ୍କ ଚୟନ ମେ ୨୨ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ କରାଯାଇଛି | ଅଧ୍ୟକ୍ଷ ପଦ ଗୋଟିଏ ବର୍ଷ ପାଇଁ ରୋଟେସନ ଦ୍ୱାରା ଆୟୋଜିତ କରାଯାଇଥାଏ | ଗତ ବର୍ଷ ନିଷ୍ପତ୍ତି ହୋଇଥିଲା ଯେ ମେ ୨୨ ତାରିଖରୁ ଆରମ୍ଭ ହେବାକୁଥିବା ପ୍ରଥମ ବର୍ଷ ପାଇଁ ଭାରତୀୟ ପ୍ରାର୍ଥୀ କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ହେବେ |


ଜଣେ ଅଧିକାରୀ କହିଛନ୍ତି ଯେ, ଏହା ପୂର୍ଣ୍ଣକାଳ କାର୍ଯ୍ୟ ନୁହେଁ | ଚେୟାରମ୍ୟାନଙ୍କୁ କାର୍ଯ୍ୟନିର୍ବାହୀ ବୈଠକର ଅଧ୍ୟକ୍ଷତା କରିବାକୁ ହେବ | ୩୪ ଜଣ ବ୍ୟକ୍ତିଙ୍କୁ ନେଇ ଗଠିତ କାର୍ଯ୍ୟନିର୍ବାହୀ ବୋର୍ଡ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗ୍ୟ ଅଟେ | ବୋର୍ଡ ବର୍ଷକୁ ଅତିକମରେ ଦୁଇଥର ବୈଠକ କରେ | ମୁଖ୍ୟ ବୈଠକ ସାଧାରଣତଃ ଜାନୁଆରୀ ମାସରେ ହୋଇଥାଏ | ସ୍ୱାସ୍ଥ୍ୟ ସଭା ପରେ ପରେ ମେ ମାସରେ ଆଉ ଏକ ବୈଠକ ବସେ | କାର୍ଯ୍ୟନିର୍ବାହୀ ବୋର୍ଡ ଅଧ୍ୟକ୍ଷଙ୍କ ମୁଖ୍ୟ କାର୍ଯ୍ୟ ହେଲା ସ୍ୱାସ୍ଥ୍ୟ ସଭାରେ ନିଆଯାଇଥିବା ନିଷ୍ପତ୍ତି ଓ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେବା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.