ସୋଆ ଏଗ୍ରିକଲ୍ଚରାଲ୍ ଫାର୍ମରୁ ହାନିକାରକ କୀଟର ସନ୍ଧାନ କଲେ ଛାତ୍ରଛାତ୍ରୀ
13/10/2018 at 6:37 PM

ଭୁବନେଶ୍ୱର ୧୩/୧୦ : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର କୃଷି ବିଜ୍ଞାନ ଫ୍ୟାକଲ୍ଟିର ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ଫାର୍ମରେ ସ୍ପୋଡୋପ୍ଟେରା ଫ୍ରୁ୍ୟଗିପର୍ଦା ନାମକ ଏକ ଅତ୍ୟନ୍ତ ମାରାତ୍ମକ କୀଟର ସନ୍ଧାନ ପାଇଛନ୍ତି ।
ପ୍ରାୟ ୮୦ ପ୍ରକାର ଶସ୍ୟ ନଷ୍ଟ କରୁଥିବା ଏହି କୀଟ ଗତ ମେ ମାସରେ ପ୍ରଥମେ କର୍ଣ୍ଣାଟକରେ ଦେଖିବାକୁ ମିଳିଥିଲା ଏବଂ ଇଣ୍ଡିଆନ୍ କାଉନ୍ସିଲ୍ ଫର ଏଗ୍ରିକଲ୍ଚରାଲ୍ ରିସର୍ଚ୍ଚ ଦ୍ୱାରା ପରିଚାଳିତ ବାଙ୍ଗାଲୁରୁସ୍ଥିତ ନ୍ୟାସ୍ନାଲ୍ ବ୍ୟୁରୋ ଅଫ୍ ଏଗ୍ରିକଲ୍ଚରାଲ୍ ରିସୋର୍ସସେସ୍ ଦ୍ୱାରା ଚିହ୍ନଟ ହୋଇଥିଲା ।
ସୋଆ ଅଧୀନସ୍ଥ ଇନ୍୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର କୀଟତତ୍ୱବିତ୍ ତଥା ପ୍ରଫେସର ବିଜୟ କୁମାର ମିଶ୍ରଙ୍କ କହିବା ଅନୁଯାୟୀ ଏହି କୀଟର ଫଲ୍ ଆର୍ମିୱର୍ମ ନାମକ ମଥର ଲାର୍ଭା । ଏହା ଖୁବ୍ ଦୂରପର୍ଯ୍ୟନ୍ତ ଉଡିଥାଏ ।
ଆଇଏଏସ୍ର ଛାତ୍ରଛାତ୍ରୀମାନେ ପ୍ରଥମେ ଆଇଏଏସ୍ର ଇନ୍ଷ୍ଟ୍ରକ୍ସନାଲ୍ ଫାର୍ମରେ ଏହି କୀଟର ସନ୍ଧାନ ପାଇଥିଲେ ଏବଂ ପରବର୍ତୀ ସମୟରେ ଏହା ସ୍ପେଡୋପ୍ଟେରା ଫ୍ର୍ୟୁଗିପର୍ଦା ବୋଲି ଜଣାପଡ଼ିଥିବା ସେ କହିଛନ୍ତି ।
ଏହା ବିଶେଷ ଭାବରେ ମକା ଏବଂ ଆଖୁ ଫସଲର ପ୍ରଭୁତ କ୍ଷତି ଘଟାଇଥାଏ । ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ପଶ୍ଚିମବଂଗରେ ଏହି କୀଟ ପହଂଚି ଏହିସବୁ ଫସଲର କ୍ଷତି କରିଥିବା ଜଣାପଡ଼ିଛି । ୨୦୧୬ରେ ପ୍ରଥମେ ଆଫ୍ରିକାରେ ଏହି କୀଟର ସନ୍ଧାନ ମିଳିଥିଲା ଏବଂ ପରବର୍ତୀ ସମୟରେ ଏସିଆର ଅନ୍ୟ ଦେଶଗୁଡ଼ିକରେ ମଧ୍ୟରେ ଏହାର କାୟା ବିସ୍ତାର ହୋଇଛି ବୋଲି ପ୍ରଫେସର ମିଶ୍ର କହିଛନ୍ତି ।
ବର୍ତମାନ କୃଷକମାନେ ଏହି କୀଟ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି ଓ ପ୍ରଶାସନ ଏହି କୀଟ ଯେପରି ଆମ ରାଜ୍ୟରେ ଅଧିକ କ୍ଷତି ନ ଘଟାଏ ସେ ଦିଗରେ ପ୍ରତିଶେଧମୂଳକ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି ସେ କହିଛନ୍ତି ।