ହରିଶଙ୍କରରେ ବୁଲୁଛି କଲରାପତରିଆ : ଡିଅର ପାର୍କରେ କରିଛି ହରିଣ ଶିକାର, ସିସିଟିଭିରେ କଏଦ ହେଲା ବାଘ

Published By : Prameya-News7 Bureau | January 27, 2022 IST

ବଲାଙ୍ଗୀର, ୨୭/୦୧: ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ହରିଶଙ୍କରରେ ବାଘ ବୁଲୁଥିବା ସୂଚନା ମିଳିବା ପରେ ଆତଙ୍କିତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ । ବାଘକୁ କିଛି ଲୋକ ଦେଖିଥିବା କୁହାଯାଉଥିବା ବେଳେ ପାଖରେ ଥିବା ଡିଅର ପାର୍କରେ ପଶି ବାଘଟି ଦୁଇଟି ହରିଣ ମାରିଥିବା ସନ୍ଦେହ କରୁଛି ବନ ବିଭାଗ । ସିସିଟିଭି ଫୁଟେଜରୁ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଛି । ଗଲା ୪/୫ଦିନ ହେଲୋ ହରିଶଙ୍କରରେ ଏକ କଲରାପତରିଆ ବାଘ ବୁଲୁଥିବା କହିଛନ୍ତି ଡିଏଫଓ ।

ହରିଶଙ୍କରରେ ବୁଲୁଛି ବାଘ । ଲୋକେ ଆତଙ୍କିତ । ବଲାଙ୍ଗିର ଜିଲ୍ଳା ପାଟଣାଗଡ଼ରେ ଥିବା ପ୍ରସିଦ୍ଧ ହରିଶଙ୍କର ପୀଠରେ ଏକ କଲରାପତରିଆ ବାଘ ବୁଲୁଛି । ଏନେଇ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ଆକ୍ଟିଭ୍ ହୋଇଥିଲା ବନ ବିଭାଗ ଟିମ୍ । ପାଖରେ ଥିବା ଏକ ଡିୟର ପାର୍କରେ ଦୁଇଟି ହରିଣଙ୍କୁ ମଧ୍ୟ ଆକ୍ରମଣ କରିଥିଲା ବାଘ । ଡିୟର ପାର୍କର ବାହାରେ ରାସ୍ତାରେ ବାଘ ବୁଲୁଥିବା ଦେଖିବାକୁ ପାଇଥିଲେ ବନ୍ୟପ୍ରାଣୀ ସୁରକ୍ଷା କର୍ମୀ । ବାଘ ବୁଲୁଥିବା ଖବର ଏବେ ଆତଙ୍କିତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ । ହରିଶଙ୍କରରେ ନୂତନ ପାର୍କିଂ ସ୍ଥାନକୁ ଲାଗି ରହିଥିବା ଦୋକାନୀମାନେ ନିଜର ପରିବାର ସହ ସେଠାରେ ରହୁଥିବା ବେଳେ ସେମାନଙ୍କ ସହ ନିକଟବର୍ତ୍ତୀ ଜନବସତିରେ ରହୁଥିବା ଲୋକେ ବି ଭୟଭୀତ ହୋଇପଡ଼ିଛନ୍ତି ।

ସିସିଟିଭି ଫୁଟେଜରୁ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଛି । ଗଲା ୪/୫ଦିନ ହେଲା ହରିଶଙ୍କରରେ ଏକ କଲରାପତରିଆ ବାଘ ବୁଲୁଥିବା କହିଛନ୍ତି ଡିଏଫଓ । ତେବେ ଦୀର୍ଘ ବର୍ଷ ଧରି ହରିଶଙ୍କର ଜଙ୍ଗଲରେ କଲରାପତରିଆ ବାଘ ରହି ଆସୁଥିବା ସେ କହିଛନ୍ତି । ଅନେକ ସମୟରେ ଆଖପାଖରେ ଥିବା କୁକୁଡ଼ା ଫାର୍ମ ଭିତରେ ପଶି ବାଘ କୁକୁଡ଼ା ଖାଇଥିବା ଅଭିଯୋଗ ମଧ୍ୟ ହୋଇଛି । ଡିୟର ପାର୍କ ଭିତରେ ଥିବା ୧୭ଟି ସିସିଟିଭି ଭିଜୁଆଲ ଭିତରୁ ଗୋଟିଏ ସିସିଟିଭିରେ ବାଘର ଚିତ୍ର ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଅଂଚଳରେ ସୋଲାର ଲାଇଟ୍ ବ୍ୟବସ୍ଥା କରାଯାଇଛି । ଏବଂ ବାଘକୁ ଘଉଡ଼ାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଥିବା କହିଛି ବନ ବିଭାଗ ।

ବଲାଙ୍ଗିରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କରକୁ ବୁଲିବାକୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ବେଳେ ଏବେ ସେଠାରେ କଲରାପତରିଆ ବାଘର ଉପସ୍ଥିତି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ପରିସ୍ଥିତିକୁ ନଜରରେ ରଖି ବନ ବିଭାଗକୁ ଜରୁରୀ ପଦକ୍ଷେପ ନେବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.