ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, ଚିକିତ୍ସା ଅଭାବରୁ ଆଖିବୁଜିଲେ ଡାକ୍ତର

Published By : Prameya-News7 Bureau | April 18, 2021 IST

ବଲାଙ୍ଗୀର ୧୮।୦୪: କରୋନା ଭଳି ମହାମାରୀରେ ଆଗଧାଡିର ଯୋଦ୍ଧା ସାଜିଥିଲେ ଡାକ୍ତର । ଲୋକଙ୍କୁ ସଚେତନ ଓ ଚିକିତ୍ସା ପାଇଁ  ନିଜ ଜୀବନକୁ ବାଜି ଲଗାଇଥିଲେ ଡାକ୍ତର । ନିରଳ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିଲେ ଡା. ଦିଲ୍ଲୀପ ଷଡ଼ଙ୍ଗୀ । କରୋନା ଯୋଦ୍ଧା ଭାବେ ପ୍ରଥମ ପର୍ଯ୍ୟାୟରେ ଦୁଇଟିଯାକ ଡୋଜ ଟିକା ନେଇଥିଲେ । କିନ୍ତୁ ଟିକା ନେବାର ପ୍ରାୟ ଦୁଇମାସ ପରେ କରୋନାର ଆକ୍ରାନ୍ତ ହେଲେ ଦିଲ୍ଲୀପ । ଅନ୍ୟକୁ ଚିକିତ୍ସା କରୁଥିବା ଡାକ୍ତର ନିଜେ ଯେତେବେଳେ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହେଲେ ତାଙ୍କୁ ଉପଯୁକ୍ତ ଚିକିତ୍ସା ସେବା ବି ମିଳିଲାନି । ସଂକ୍ରମଣର ୫ ଦିନ ମଧ୍ୟରେ  ଆଖିବୁଜିଛନ୍ତି ଡା. ଷଡ଼ଙ୍ଗୀ ।

କରୋନା ଦ୍ବିତୀୟ ଲହର ଆରମ୍ଭ ହେବା ପରଠୁ ବଲାଙ୍ଗିରରେ ଏବେ ଯାଏଁ କୋଭିଡ଼ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହୋଇନାହିଁ । ତେଣୁ ସେ କୋଭିଡ଼ ପଜିଟିଭ୍ ବୋଲି ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ କୁହାଗଲା । ଘରେ ୪ ଦିନ ରହିବାପରେ ପରେ ସେ ଅସୁସ୍ଥ ଅନୁଭବ କରିବାରୁ ଶୁକ୍ରବାର ଅପରାହ୍ନରେ ବରଗଡ଼ସ୍ଥିତ ଏକ ଘରୋଇ ହସପିଟାଲକୁ ଯାଇଥିଲେ । ମାତ୍ର ସେଠାରେ ଆଇସିୟୁ, ଭେଣ୍ଟିଲେଟର କିମ୍ବା ଅକ୍ସିଜେନ କିଛି ବି ମିଳିଲାନି । ସେଠାରୁ ବିନା ଚିକିତ୍ସାରେ ତାଙ୍କୁ ଫେରାଇ ଦିଆଗଲା । ଏହାପରେ ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲକୁ ଯିବା ବାଟରେ ବୌଦ୍ଧଠାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

ବଲାଙ୍ଗିର ସାଗରପଡ଼ା ବାସିନ୍ଦା ଡା. ଷଡଙ୍ଗୀ ନିଜ ଚାକିରି କାଳର ସବୁ ସମୟ ଦୁର୍ଗମ ଅଞ୍ଚଳରେ ବିତାଇଛନ୍ତି । ବଲାଙ୍ଗିର, କଳାହାଣ୍ଡି ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରୋଗୀ ସେବାକରି ଚର୍ଚ୍ଚାରେ ରହିଥିଲେ । ୧୯୮୧ ମସିହାରେ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲରୁ ମାଟ୍ରିକ୍‌ ପାସ୍ ପରେ ରାଜେନ୍ଦ୍ର ମହାବିଦ୍ୟାଳୟରେ ପଢ଼ିଥିଲେ । ପରେ ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟରୁ ୧୯୮୮ ମସିହାରେ ବିଏଏମଏସ ଡିଗ୍ରୀ ହାସଲ କରିଥିଲେ । ୨୦୦୦ ମସିହାରେ କଳାହାଣ୍ଡି ଜିଲ୍ଲାର ଏମ.ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ ଉର୍ଲାଦାନୀରେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା । ଜଣେ ଭିନ୍ନକ୍ଷମ ହୋଇଥିଲେ ବି ନିଜ ସୁବିଧା ପାଇଁ କେବେ ସହରକୁ ଆସିବାକୁ ଚାହିଁନଥିଲେ । ବରଂ ଉର୍ଲାଦାନୀରେ ରହି ଚିକିତ୍ସା ସେବା ଯୋଗାଇ ଆସୁଥିଲେ ।

୨୦୧୫ ମସିହାରେ ତାଙ୍କ ବଦଳି କଥା ଉଠିବାରୁ ସେ ପୁଣି ମଫସଲ ଯିବାକୁ ପସନ୍ଦ କରିଥିଲେ । ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ସାଗରପାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ମିଳିଥିଲା । ସେଠାରେ ୫ବର୍ଷ ରହିବା ପରେ ଗତ ସେପଟେମ୍ବର ମାସରେ ତାଙ୍କୁ ଲୋଇସିଂହା ବ୍ଲକ୍‌ର ରାକ୍ସିମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇଥିଲା । ପରିବାରରେ ତାଙ୍କ ସ୍ତ୍ରୀଙ୍କ ସମେତ ଦୁଇଝିଅ ରହିଛନ୍ତି । ଭୁବନେଶ୍ୱର ଯାଉଥିବା ବାଟରେ ମୃତ୍ୟୁ ଘଟିବାରୁ ବୌଦ୍ଧରୁ ତାଙ୍କୁ ଫେରାଇ ଅଣାଯାଇଥିଲା । ଖବରପାଇ ଭୁବନେଶ୍ୱରରେ ପଢ଼ୁଥିବା ତାଙ୍କର ବଡ଼ ଝିଅ ଆସିବା ପରେ ରାତି ପ୍ରାୟ ୧୦.୩୦ ସମୟରେ ସ୍ଥାନୀୟ ଟିଟିଲାଗଡ଼ ରୋଡ଼ସ୍ଥିତ ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର କରାଯାଇଛି । ବଡ଼ ଝିଅ ଶିଖା ସ୍ମରଣିକା ମୁଖାଗ୍ନି ଦେଇଥିଲେ । ଡା. ଷଡ଼ଙ୍ଗୀଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.