ସଂକ୍ଷେପରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ

Published By : Prameya-News7 Bureau | August 09, 2018 IST

ଦିଲ୍ଲୀ ୯/୮ : ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଏବଂ ସମାଜବାଦୀ ଆନ୍ଦୋଳନର ପ୍ରବକ୍ତା ଜୟପ୍ରକାଶ ନାରାୟଣଙ୍କ ମାଟି ଭାବେ ଖ୍ୟାତି ଅର୍ଜନ କରିଥିବା  ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାର ସୀତାବଦିଆରା ଗାଁରେ ୧୯୫୬ମସିହା ଜୁନ୍ ୩୦ତାରିଖରେ ଜନ୍ମଗ୍ରହଣ କରିଥିଲେ ହରିବଂଶ ନାରାୟଣ ସିଂ । ସେ ବର୍ତ୍ତମାନ ରାଞ୍ଚି ବାସିନ୍ଦା । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ସେ ଅର୍ଥନୀତିରେ ସ୍ନାତୋକତ୍ତର ଡିଗ୍ରୀ ହାସଲ କରିଥିଲେ । । ଶ୍ରୀ ସିଂ ମଧ୍ୟ ସାମ୍ବାଦିକତାରେ ଡିପ୍ଲୋମା କରିଥିଲେ । ସେ ଦୀର୍ଘଦିନ ଧରି ପ୍ରତ୍ୟକ୍ଷ ସାମ୍ବାଦିକତା କରିଥିଲେ । ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପରୁ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ ।ସେ ଟାଇମ୍ସ ଗ୍ରୁପର ପତ୍ରିକା ‘ଧର୍ମଯୁଗ’ ରେ ୧୯୭୬ରୁ ୧୯୮୧ ପର୍ଯ୍ୟନ୍ତ ସହ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।ହରିବଂଶ ୧୯୮୧ରୁ ୧୯୮୪ ମସିହା ପର୍ଯ୍ୟନ୍ତ ହାଇଦ୍ରାବାଦ ଏବଂ ପାଟଣାରେ  ବ୍ୟାଙ୍କ ଅଫ ଇଣ୍ଡିଆରେ ଭାରତୀୟ ଭାଷା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ।ଏହାପରେ କିଛି କାଳ ସେ ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ମଧ୍ୟ ସଂପୃକ୍ତ ଥିଲେ । ତେବେ ଏଥିରୁ ଅବ୍ୟାହତି ନେଇ ସେ ଆନନ୍ଦବଜାର ପତ୍ରିକା ପକ୍ଷରୁ ପ୍ରକାଶିତ ‘ରବିବାର’ ପତ୍ରିକାର ସଂପାଦନା ଦାୟିତ୍ବ ପାଇଁ କଲିକତା ଚାଲିଯାଇଥିଲେ । ଅକ୍ଟୋବର ୧୯୮୯ ପର୍ଯ୍ୟନ୍ତ ‘ରବିବାର’ ପତ୍ରିକାରେ ସହାୟକ ସଂପାଦକ ଥିଲେ ।ପରବର୍ତ୍ତି ସମୟରେ ଉଭୟ କଲିକତା ଏବଂ ରାଞ୍ଚିରୁ ପ୍ରକାଶ ପାଉଥିବା ‘ପ୍ରଭାତ ଖବର’ ଦୈନିକ ଖବରକାଗଜର ସଂପାଦକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ୧୯୯୦ ମସିହା ନଭେମ୍ବର ମାସରୁ ୧୯୯୧ ମସିହା ଜୁନ୍ ମାସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିବା ଚନ୍ଦ୍ରଶେଖରଙ୍କର ସେ ଥିଲେ ସହକାରୀ ଗଣମାଧ୍ୟମ ପରାମର୍ଶଦାତା । ତାଙ୍କ ଦୀର୍ଘ କ୍ୟାରିୟର ମଧ୍ୟରେ ସେ ୧୯ଟି ପୁସ୍ତକ ରଚନା ଓ ସଂପାଦନା କରିଛନ୍ତି ।  ସେ ଓ୍ବାଲ୍ଡ ଏଡିଟରସ ଫୋରମର ସଦସ୍ୟ ମଧ୍ୟ ଅଛନ୍ତି । ୨୦୧୪ ମସିହାରେ  ହରିବଂଶ ବିହାରରୁ ଜେଡିୟୁର ରାଜ୍ୟସଭାର ସାଂସଦ ଭାବେ ନିର୍ବାବିଚ ହୋଇଥିଲେ  । ସେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅତି ଘନିଷ୍ଠ ଭାବେ ଜଣାଶୁଣା ।୨୦୧୬ ମସିହାରେ ଜେଡିୟୁର ସାଧାରଣ ସଂପାଦକ ଦାୟିତ୍ବ ମଧ୍ୟ ଗ୍ରହଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.