ଫର୍ମକୁ ଫେରିବାର ଏକ ଝଲକ ଦେଖାଇଲେ ହାର୍ଦ୍ଦିକ, ବିସ୍ଫୋରକ ବ୍ୟାଟିଂ କରି ୩୭ ବଲରେ ମାରିଲେ ଶତକ
3/03/2020 at 8:32 PM

ନୂଆଦିଲ୍ଲୀ ୦୩।୦୩- ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍ ହୋଇ ପଡିଆକୁ ଫେରିଛନ୍ତି ଏବଂ ଏବେ ତାଙ୍କର ନଜର ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା ଉପରେ ରହିଛି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାର୍ଚ୍ଚ ୧୨ରୁ ଆରମ୍ଭ ହେବାକୁ ଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାରତୀୟ ଦଳର ଜର୍ସିରେ ନଜର ଆସି ପାରନ୍ତି। ଏହା ପୂର୍ବରୁ ସେ ନିଜର ଫର୍ମର ଏକ ଝଲକ ଦେଖାଇଛନ୍ତି। ମୁମ୍ବାଇରେ ଖେଳାଯାଉଥିବା ଡିଓ୍ଵାଇ ପାଟିଲ ଟି-୨୦ କପରେ ପାଣ୍ଡ୍ୟା ଆଜି ଧମାକାଦାର ଶତକୀୟ ଇନିଂସ ଖେଳିଛନ୍ତି। ପାଣ୍ଡ୍ୟା ମାତ୍ର ୩୯ଟି ବଲରୁ ୧୦୫ ରନର ଧୂଆଁଧାର ବ୍ୟାଟିଂ କରିଛନ୍ତି। ଏହି ଅଲରାଉଣ୍ଡର ରିଲାୟନ୍ସ ଓ୍ଵାନ ପକ୍ଷରୁ ଖେଳି ସିଏଜି ବିପକ୍ଷରେ ମଙ୍ଗଳବାର ଏହି ଦମଦାର ବ୍ୟାଟିଂ କରିଛନ୍ତି।
ହାର୍ଦ୍ଦିକ ନିଜର ଏହି ଇନିଂସରେ ୮ ଚୌକା ଓ ୧୦ ଛକା ମାରିଛନ୍ତି। ସେ କେବଳ ୩୭ ବଲରେ ଶତକ ହାସଲ କରିଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସ ସହାୟତାରେ ରିଲାୟନ୍ସ ଓ୍ଵାନ ୨୦ ଓଭରରେ ୫ ଓ୍ଵିକେଟ୍ ବିନିମୟରେ ୨୨୫ ରନର ବିଶାଳ ସ୍କୋର କରି ପାରିଛି। ଏହି ବ୍ୟାଟିଂ ପରେ ହାର୍ଦ୍ଦିକ କହିଛନ୍ତି ଯେ, ସେ ଛଅ ମାସ କ୍ରିକେଟରୁ ଦୂରେଇ ରହିବା ପରେ ନିଜର ପ୍ରଗତି ନେଇ ଖୁସି ଅଛନ୍ତି।
ବଡ ସଟ୍ ଖେଳିବା ନିଜର ସାମର୍ଥ୍ୟ ବିଷୟରେ ଏହି ୨୬ ବର୍ଷୀୟ ଅଲରାଉଣ୍ଡର କହିଛନ୍ତି ଯଦି ବଲ ମୋ ସଟ୍ ଖେଳିବା ପରିଧିରେ ଆସୁଛି ତେବେ ଦମଦାର ସଟ୍ ଖେଳିବାରେ ମୁଁ ପଛକୁ ହଟେ ନାହିଁ। ଅଧିକାଂଶ ଥର ଫଳାଫଳ ମୋର ସପକ୍ଷରେ ମଧ୍ୟ ଆସିଛି। ମୁଁ ପ୍ରଥମରୁ ହିଁ ଆକ୍ରମଣାତ୍ମକ ଖେଳ ବିଷୟରେ ଚିନ୍ତା କରି ପଡିଆକୁ ଓହ୍ଲାଏ ନାହିଁ।
ଏହା ପୂର୍ବରୁ ପାଣ୍ଡ୍ୟା ଆହତଜନିତ ସମସ୍ୟାରୁ ମୁକୁଳି କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରି ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ। ସେ ୨୫ ବଲରୁ ୩୮ ରନ କରିଥିଲେ।