ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ପାଣ୍ଡ୍ୟା ! ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ମିଳିପାରେ ବଡ ଦାୟିତ୍ୱ

Published By : Prameya-News7 Bureau | May 19, 2022 IST

ନୂଆଦିଲ୍ଲୀ, ୧୯|୦୫ : ଆଉ ଗୋଟିଏ ସପ୍ତାହ ପରେ ସରିଯିବ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ । ଏହା ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜ୍ ଜୁନ ୯ରୁ ଆରମ୍ଭ ହେବ। ତେବେ ଏହି ସିରିଜରେ ଭାରତୀୟ ଦଳର ଅନେକ ବଡ ବଡ ଖେଳାଳି ନଜର ଆସିବେ ନାହିଁ।

ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ଟି-୨୦ ସିରିଜ୍ ଖେଳିବେ ନାହିଁ। ଚୟନକର୍ତ୍ତା ଇଂଲଣ୍ଡ ଗସ୍ତ, ଏସିଆ କପ୍ ଏବଂ ଟି-୨୦ ବିଶ୍ଵ କପକୁ ଦୃଷ୍ଟିରେ ରଖି ଦଳର ପ୍ରମୁଖ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ବିଚାର କରୁଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ଦଳର ନେତୃତ୍ଵ କିଏ ନେବ ତାକୁ ନେଇ ପ୍ରଶ୍ନ ଉଠୁଛି ।

ତେବେ ରିପୋର୍ଟ ଅନୁସାରେ, ଆଇପିଏଲ ୨୦୨୨ ପରେ ଦଳର ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି, ଉପ ଅଧିନାୟକ ଲୋକେଶ ରାହୁଲ, କିପର ଋଷଭ ପନ୍ତ, ଦ୍ରୁତ  ମହମ୍ମଦ ଶାମି ଏବଂ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇପାରେ। ତେଣୁ ଦଳର ଅଧିନାୟକ ଦାୟିତ୍ଵ କିଏ ସମ୍ଭାଳିବ ତାର ଉତ୍ତର ଖୋଜି ସାରିଛନ୍ତି ଦଳ ପ୍ରବନ୍ଧକ ଏବଂ ଚୟନକର୍ତ୍ତା। ରିପୋର୍ଟ ଅନୁସାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ଭାର ମ୍ୟାନେଜମେଣ୍ଟ ଦେଇପାରେ ।

କାରଣ ପାଣ୍ଡ୍ୟା ଆଇପିଏଲରେ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ତାଙ୍କ ଟିମ୍ ଗୁଜୁରାଟ ଟାଇଟନ୍ସ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଦଳ ପ୍ରଥମ ଟିମ୍ ଭାବେ ପ୍ଲେ-ଅଫରେ ପ୍ରବେଶ କରିଛି । ଯାହାକୁ ନେଇ ସେ ଏବେ ମ୍ୟାନେଜମେଣ୍ଟର ଗୁଡ୍ ବୁକରେ ଅଛନ୍ତି ।

ଆହୁରି ମଧ୍ୟ, ଦଳରେ ଆଇପିଏଲର ଯୁବ, ଅନୁଭବ ଏବଂ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ସୁଯୋଗ ମିଳିବ। ତିଳକ ବର୍ମା, ଉମରାନ ମଲିକ, ଅର୍ଶଦୀପ ସିଂହ, ଋତୁରାଜ ଗାଏକଓ୍ଵାଡ, ପ୍ରସିଦ୍ଧ କୃଷ୍ଣା ଏବଂ ଅଭେଶ ଖାନଙ୍କୁ ସୁଯୋଗ ମିଳିପାରେ ବୋଲି ଆଭାସ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.