ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବଙ୍କୁ ଟିମ୍ ଇଣ୍ଡିଆରୁ ଛୁଟି, ଏହି ୪ ଦିଗ୍‌ଜଙ୍କ ଦଳରେ ହେଲା ପ୍ରତ୍ୟାବର୍ତ୍ତନ

Published By : Prameya-News7 Bureau | May 07, 2021 IST

ନୂଆଦିଲ୍ଲୀ ୦୭।୦୫: ବିଶ୍ଵ  ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍ ଓ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା  ହୋଇଛି। ଚୟନକର୍ତ୍ତା ୨୦ ଜଣିଆ ଦଳ ଘୋଷଣା କରିଛି। ଏଥିସହ ୪ ଜଣ ଖେଳାଳିଙ୍କୁ ଷ୍ଟାଣ୍ଡ ବାଇ ଭାବେ ରଖାଯାଇଛି। ତେବେ ଦଳରେ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ସ୍ପିନର କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିନାହିଁ। ଏହି ଦୁଇ ଖେଳାଳି ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦଳରେ ଥିଲେ।

ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ହାର୍ଦ୍ଦିକଙ୍କୁ ଗୋଟିଏ ହେଲେ ମ୍ୟାଚ୍‌ରେ ସୁଯୋଗ ମିଳିନଥିଲା। ଅନ୍ୟପଟେ କୁଲଦୀପଙ୍କୁ ଦ୍ଵିତୀୟ ଟେଷ୍ଟରେ ସୁଯୋଗ ମିଳିଥିଲା। ମାତ୍ର ତାଙ୍କର ପ୍ରଦର୍ଶନ ସେତେଟା ଖାସ୍ ନଥିଲା। ହାର୍ଦ୍ଦିକ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଦୁଇଟି ମ୍ୟାଚ୍‌ରେ ବୋଲିଂ କରିନଥିଲେ। ଏହା ପରେ ସେ ଆଇପିଏଲ୍‌-୧୪ରେ ମଧ୍ୟ ବୋଲିଂ କରିନାହାନ୍ତି। ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ କହିଥିଲେ, ଓ୍ଵାର୍କଲୋଡ୍‌ କାରଣରୁ ତାଙ୍କୁ ବୋଲିଂ ଦିଆଯାଉ ନାହିଁ। ମୁମ୍ବାଇ ଇଣ୍ଡିଆନ୍ସର ଖେଳ ପରିଚାଳକ ନିର୍ଦ୍ଦେଶକ ଜାହିର ଖାନ ମଧ୍ୟ କହିଥିଲେ ଯେ, ହାର୍ଦ୍ଦିକଙ୍କୁ ଓ୍ଵାର୍କଲୋଡ୍ କମ କରିବା ପାଇଁ ବୋଲିଂ କରିବାକୁ ଦିଆଯାଉ ନାହିଁ। ବୋଲିଂ କରୁନଥିବା କାରଣରୁ ହାର୍ଦ୍ଦିକଙ୍କୁ ଭାରି ପଡିଛି ଏବଂ ଦଳରୁ ତାଙ୍କୁ ବାଦ୍ ଦିଆଯାଇଛି।

ଏହି ବରିଷ୍ଠ ଖେଳାଳିଙ୍କ ହେଲା ପ୍ରତ୍ୟାବର୍ତ୍ତନ

ଦଳରେ ରବୀନ୍ଦ୍ର  ଜାଡେଜା, ଯଶପ୍ରୀତ ବୁମରା, ହନୁମା ବିହାରୀ ଓ ମହମ୍ମଦ ସାମିଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଜାଡେଜା, ସାମି ଓ ବିହାରୀ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଆହତ ହୋଇଥିଲେ। ଜାଡେଜାଙ୍କ କହୁଣିରେ ଆଘାତ ଲାଗିବା କାରଣରୁ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ, ଟି-୨୦ ଓ ଦିନିକିଆ ସିରିଜ୍‌ରୁ ବାହାରେ ଥିଲେ।

ଯଶପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଓ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଦଳର ଅଂଶ ନଥିଲେ। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟି ମାଗିଥିଲେ। ଏହା ପରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମହମ୍ମଦ ସାମି ଓ ହନୁମା ବିହାରୀ ମଧ୍ୟ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦଳରେ ନଥିଲେ।

ଭାରତୀୟ ଦଳ : ରୋହିତ ଶର୍ମା, ଶୁଭମାନ ଗିଲ, ମୟଙ୍କ ଅଗ୍ରଓ୍ବାଲ, ​ ଚେତେଶ୍ବର ପୁଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ ( ଉପ ଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ତ ( ଓ୍ବିକେଟ୍‌ କିପର), ରବିଚନ୍ଦ୍ରନ ଅଶ୍ବିନ୍‌, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମୀ, ମହମ୍ମଦ ସିରାଜ, ସାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେଏଲ ରାହୁଲ, ରିଦ୍ଧିମାନ ଶାହା(ଓ୍ବିକେଟ୍‌ କିପର) ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.