ହାର୍ଦ୍ଦିକ ନା ଶାର୍ଦ୍ଦୁଲ ? ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ କାହାକୁ ମିଳିବ ସୁଯାେଗ, ପାଣ୍ଡ୍ୟାଙ୍କୁ ଖେଳାଇବା ପକ୍ଷରେ ମାହି!

Published By : Prameya-News7 Bureau | October 30, 2021 IST

ନୂଆଦିଲ୍ଲୀ ୩୦/୧୦ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ବିତୀୟ ମୁକାବିଲା ଖେଳିବାକୁ ଯାଉଛି ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଭାରତ ପାଇଁ ବେଶ ଗୁରୁତ୍ବ ବହନ କରୁଥିବା ବେଳେ ଟିମ ଇଣ୍ଡିଆ ଜୋରଦାର ପ୍ରସ୍ତୁତି କରିଛି । ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ଲଜ୍ଜାଜନକ ପରାଜୟ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଜିତି ବିଶ୍ବକପ ସେମି ଫାଇନାଲକୁ ଯିବା ରାସ୍ତା ଉଜ୍ଜିବିତ ରଖିବାକୁ ଚାହୁଁଛି ଭାରତ । କିନ୍ତୁ ଏହା ଆଦୌ ସହଜ ହେବ ନାହିଁ କାରଣ ବିପକ୍ଷ ଟିମ ହେଉଛି ନ୍ୟୁଜିଲାଣ୍ଡ । ଏହା ସହିତ ଭାରତ ପାଇଁ ଆଉ ଏକ ସମସ୍ୟା ହେଉଛି ପ୍ଲେଇଂ ଇଲେଭେନ୍‌ ।

ଟିମ ଇଣ୍ଡିଆରେ ସବୁଠାରୁ ବଡ ପ୍ରଶ୍ନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଉଠୁଛି । ପାଣ୍ଡ୍ୟା ଜଣେ ଭେଟେରାନ୍‌ ଅଲରାଉଣ୍ଡର କିନ୍ତୁ ସେ ଲମ୍ବା ସମୟ ଧରି ବୋଲିଂ କରିପାରୁ ନାହାନ୍ତି । ପାକିସ୍ତାନ ଠାରୁ ପରାଜିତ ହେବା ପରେ ନେଟସ୍‌ରେ ପାଣ୍ଡ୍ୟା କିଛି ସମୟ ବୋଲିଂ କରିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ବେଶ ଗରୁତ୍ବ ବହନ କରୁଥିବାରୁ ପାଣ୍ଡ୍ୟା ଖେଳିବେ କି ନାହିଁ ସେ ନେଇ ସସ୍‌ପେନ୍ସ ଲାଗି ରହିଛି । ଯଦିବି ସେ ଖେଳନ୍ତି ତେବେ ବୋଲିଂ କରିପାରିବେ କି ନାହିଁ ତାହା ମଧ୍ୟ ବଡ ପ୍ରଶ୍ନ ।

ଟିମ ମ୍ୟାନେଜମେଣ୍ଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖେଳାଇବା ମୁଡ୍‌ରେ ଅଛି । କାରଣ ଜଣେ ବେଷ୍ଟ ଫିନିସର ଭାବେ ସେ ପୂର୍ବରୁ ପ୍ରମାଣିତ କରିସାରିଛନ୍ତି । ଶୁଣିବାକୁ ମିଳୁଛି ଯେ, ମେଣ୍ଟର ମହେନ୍ଦ୍ର ସିଂହ ଧୋନୀ ପାଣ୍ଡ୍ୟାଙ୍କୁ ଦଳରେ ରଖିବାକୁ ଚାହୁଁଛନ୍ତି । ତେବେ ଯଦି ପାଣ୍ଡ୍ୟାଙ୍କୁ ଦଳରୁ ବାଦ ଦିଆଯାଏ ତେବେ ତାଙ୍କ ସ୍ଥାନରେ କିଏ ଖେଳିବେ ?

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଯଦି ଦଳରେ ସାମିଲ କରାନଯାଏ ତେବେ ତାଙ୍କ ସ୍ଥାନରେ ସବୁଠାରୁ ଆଗରେ ନାଁ ରହିଛି ଶାର୍ଦ୍ଦୁଲ ଠାକୁରଙ୍କର । ପେସ୍‌ ବୋଲିଂ କରିବା ସହିତ ବିସ୍ଫୋରକ ବ୍ୟାଟିଂ କରିବାରେ ବି ସେ ସକ୍ଷମ । ଯାହାକି ପୂର୍ବରୁ ପ୍ରମାଣିତ ହୋଇସାରିଛି । ଏଣୁ ଯଦି ଶର୍ଦ୍ଦୁଲ ଠାକୁରଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସାମିଲ କରାଯାଏ ତେବେ ପାଣ୍ଡ୍ୟାଙ୍କୁ ଦଳରୁ ବାଦ ଦିଆଯାଇପାରେ ।

ଏହା ବାଦ ଯଦି ପାଣ୍ଡ୍ୟାଙ୍କ ସ୍ଥାନରେ ଇଶାନ କିଶନଙ୍କୁ ଦଳରେ ସାମିଲ କରାଯାଏ ତେବେ ସେ କେବଳ ବ୍ୟାଟିଂ ହିଁ କରିପାରିବେ । ତେଣୁ ତାଙ୍କୁ ଦଳରେ ସାମିଲ କରାଯିବା ସମ୍ଭାବନା ଖୁବ କମ । କାରଣ କେବଳ ବ୍ୟାଟ୍ସମ୍ୟାନ ଭାବେ ପାଣ୍ଡ୍ୟା ଦଳରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.