ହରଦୀପଙ୍କ ବଡ ସୂଚନା- ଚଳିତ ବର୍ଷ ଶେଷ ସୁଦ୍ଧା ଘରୋଇକରଣ ହୋଇଯିବ ସରକାରୀ ଏୟାରଲାଇନ୍ ଏୟାର ଇଣ୍ଡିଆ

Published By : Prameya-News7 Bureau | June 04, 2021 IST

ନୂଆଦିଲ୍ଲୀ ୦୪।୦୬: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆକୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ଏୟାର ଇଣ୍ଡିଆର ବିନିବେଶ ବା ଘରୋଇକରଣ ଚଳିତ ବର୍ଷ ଶେଷ ସୁଦ୍ଧା ହେବାର ସମ୍ଭାବନା ରହିଛି।

ପୁରୀ କହିଛନ୍ତି, କରୋନା ମହାମାରୀର ଦ୍ଵିତୀୟ ଲହର କାରଣରୁ ଏୟାର ଇଣ୍ଡିଆର ଘରୋଇକରଣ ପ୍ରକ୍ରିୟାରେ ବିଳମ୍ବ ଘଟିଛି। କିନ୍ତୁ ଏହି  ପ୍ରକ୍ରିୟା ୨୦୨୧ ଶେଷ ସୁଦ୍ଧା ସରିଯିବ ବୋଲି ମନ୍ତ୍ରୀ ଆଶ୍ଵାସନା ଦେଇଛନ୍ତି। ଏହା ପୂର୍ବରୁ ୨୦୨୧ ମାର୍ଚ୍ଚ ୨୭ରେ  ହରଦୀପ ସିଂହ ପୁରୀ କହିଥିଲେ, ମେ ମାସର ଶେଷ କିମ୍ବା ଜୁନରେ ଏୟାର ଇଣ୍ଡିଆକୁ ଏକ ଘରୋଇ କମ୍ପାନୀ ଆଧାରରେ ପରିଚାଳନା କରାଯିବ। ଏହା ଜରିଆରେ ବିନିବେଶ ପ୍ରକ୍ରିୟା ଆରମ୍ଭ ହେବ। ଏୟାର ଇଣ୍ଡିଆର କର୍ମଚାରୀଙ୍କ ହିତକୁ ଦୃଷ୍ଟିରେ ରଖି ଏମିତି କରାଯିବ ବୋଲି ମନ୍ତ୍ରୀ କହିଥିଲେ।

ଉଲ୍ଲେଖଯୋଗ୍ୟ, ଏୟାର ଇଣ୍ଡିଆରରେ ସରକାର ନିଜ ଅଂଶର ବିକ୍ରି କରିବା ପ୍ରକ୍ରିୟା୨୦୧୯ ଜାନୁଆରୀ ମାସରୁ ଆରମ୍ଭ  ହୋଇଥିଲା। କାରଣ ଏହି ସରକାରୀ ଏୟାରଲାଇନ୍ ଅନେକ ଅନେକ ବର୍ଷ ଧରି ଆର୍ଥିକ ସଙ୍କଟ ଦେଇ ଗତି କରି ଆସୁଛି। ଏହାର ପୁନରୁଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ରିଲିଫ ପ୍ୟାକେଜ୍ ମଧ୍ୟ ଦିଆଯାଇଛି। ହେଲେ ଏଥିରେ ଏୟାର ଇଣ୍ଡିଆର ସ୍ଥିତିରେ କୌଣସି ସୁଧାର ଆସିନଥିଲା। ଓଲଟା ଏୟାରଲାଇନ୍ ଦିନକୁ ଦିନ ଦେବାଳିଆ ସ୍ଥିତି ଆଡକୁ ଗତି କରିଥିଲା।

ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର ଘରୋଇକରଣ ପାଇଁ ଏହା ଦ୍ଵିତୀୟ ଉଦ୍ୟମ। ଏହା ପୂର୍ବରୁ ୨୦୧୮ରେ ୭୬ ପ୍ରତିଶତ ବିକ୍ରି କରାଯିବାର ପ୍ରସ୍ତାବ ଦିଆଯାଇଥିଲା। ହେଲେ ସେହି ସମୟରେ କୌଣସି ସଂସ୍ଥା ଏଥି ପ୍ରତି ରୁଚି ଦେଖାଇନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.