ଅବସର ନେବେ ହରଭଜନ ସିଂହ, ଆଇପିଏଲ୍ ଟିମରେ କୋଚିଂ ଷ୍ଟାଫରେ ହେବେ ସାମିଲ୍

Published By : Prameya-News7 Bureau | December 07, 2021 IST

ନୂଆଦିଲ୍ଲୀ ୦୭।୧୨:  ଭାରତର ପୂର୍ବତନ ଅଫ ସ୍ପିନର ହରଭଜନ ସିଂହଙ୍କୁ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ରେ ଭିନ୍ନ ଭୂମିକାରେ ଦେଖିବାକୁ ମିଳିପାରେ। ସେ କୌଣସି ବଡ ଦଳର ସପୋର୍ଟ ଷ୍ଟାଫର ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ସମ୍ଭାଳି ପାରନ୍ତି। ହରଭଜନ ୨୦୨୧ ଆଇପିଏଲର ପ୍ରଥମ ପର୍ଯ୍ୟାୟରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ପକ୍ଷରୁ କିଛି ମୁକାବିଲା ଖେଳିଥିଲେ। ମାତ୍ର ୟୁଏଇରେ ଲିଗ୍‌ର ଦ୍ଵିତୀୟ ପର୍ଯ୍ୟାୟରେ ଗୋଟିଏ ହେଲେ ମ୍ୟାଚ୍ ଖେଳିନଥିଲେ। ଆଶା କରାଯାଉଛି ଭଜି ଆଗାମୀ ସପ୍ତାହରେ କ୍ରିକେଟ୍‌ରୁ ଆନୁଷ୍ଠାନିକ ଭାବେ ଅବସର ଘୋଷଣା କରିବେ। ଏହାପରେ କୌଣସି ବଡ ଆଇପିଏଲ ଫ୍ରାଞ୍ଚାଇଜିର ସପୋର୍ଟ ଷ୍ଟାଫ ଦାୟିତ୍ଵ ତୁଲାଇବେ।

ଆଇପିଏଲର ସୂତ୍ର ଅନୁଯାୟୀ, ହରଭଜନ ସିଂହଙ୍କ ଭୂମିକା ପରାମର୍ଶଦାତା, ମାର୍ଗଦର୍ଶକ କିମ୍ବା ପରାମର୍ଶଦାତା ସମୂହର  ଅଂଶ ହୋଇପାରନ୍ତି। ସେ ଯେଉଁ ଫ୍ରାଞ୍ଚାଇଜି ସହ ଆଲୋଚନା ଚଳାଇଛନ୍ତି, ସେହି ଦଳ ସହ ନିଜର ଅନୁଭବ ବାଣ୍ଟିବାକୁ ଚାହୁଁଛନ୍ତି। ସେ ନିଲାମରେ ଖେଳାଳିଙ୍କୁ ଚୟନ କରିବାରେ ଫ୍ରାଞ୍ଚାଇଜିକୁ ସାହାଯ୍ୟ କରିବା ପାଇଁ ସକ୍ରିୟ ଭୂମିକା ନିଭାଇ ପାରନ୍ତି। ହରଭଜନ ସର୍ବଦା ଖେଳାଳିଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ରୁଚି ଦେଖାଇ ଆସିଛନ୍ତି। ଏକ ଦଶନ୍ଧି ଧରି ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ପରେ ଗତ କିଛି ବର୍ଷ ହେବ ସେ ଏହି ଦାୟିତ୍ଵ ସମ୍ଭାଳୁଛନ୍ତି।

ଗତ ବର୍ଷ କେକେଆର ସହିତ ରହିବା ସମୟରେ ହରଭଜନ ବରୁଣ ଚକ୍ରବର୍ତ୍ତୀଙ୍କ ମାର୍ଗଦର୍ଶନ କରିଥିଲେ। ଏପରିକି କେକେଆରର ମୁଖ୍ୟ କୋଚ୍ ବ୍ରେଣ୍ଡନ ମ୍ୟାକକୁଲମ ଏବଂ ଅଧିନାୟକ ଇଅନ ମୋର୍ଗାନ ମଧ୍ୟ ଦଳ ଚୟନ ମାମଲାରେ ହରଭଜନ ସିଂହଙ୍କ ପରାମର୍ଶ ମାନିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.