Google କାର୍ଯ୍ୟାଳୟରେ ଉତ୍ପୀଡନ ! ସିଇଓ ସୁନ୍ଦର ପିଚାଇଙ୍କୁ ଚିଠି ଲେଖିଲେ ୫୦୦ କର୍ମଚାରୀ

Published By : Prameya-News7 Bureau | April 10, 2021 IST

ନୂଆଦିଲ୍ଲୀ ୧୦।୦୪: ସରକାରୀ ହେଉ କି ବେସରକାରୀ କାର୍ଯ୍ୟାଳୟ ପ୍ରାୟ ସବୁ ସଂସ୍ଥାରେ ମହିଳା କର୍ମଚାରୀ ଯୌନ ଉତ୍ପୀଡନର ଶିକାର ହେବା ଖବର ଆପଣ ପଢିଥିବେ। ହେଲେ ଏଥିରେ ଏବେ ଯୋଡି ହୋଇ ଯାଇଛି ଗୁଗଲର ନାଁ। ଦିଗ୍‌ଜ ଟେକ୍ କମ୍ପାନୀ ଗୁଗଲ ଓ ଆଲ୍‌ଫାବେଟ୍‌ର ସିଇଓ ସୁନ୍ଦର ପିଚାଇଙ୍କୁ କମ୍ପାନୀର ୫୦୦ କର୍ମଚାରୀ ଚିଠି ଲେଖି ଗୁଗଲ ଅଫିସ୍‌ରେ ଚାଲିଥିବା ଉତ୍ପୀଡନକୁ ନେଇ ଅଭିଯୋଗ କରିଛନ୍ତି। ଉତ୍ପୀଡନ କରୁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ନଦେବା ଏବଂ କର୍ମଚାରୀଙ୍କୁ ଶାନ୍ତିପୂର୍ଣ୍ଣ ମାହୋଲ ପ୍ରଦାନ କରିବାକୁ ଚିଠିରେ ଗୁହାରି  କରାଯାଇଛି।

ଗୁଗଲରେ ଇଞ୍ଜିନିୟର କାମ କରି ସାରିଥିବା ଏମି ନେଟ୍‌ଫିଲ୍ଡ ଦ ନ୍ୟୁୟର୍କ ଟାଇମ୍ସରେ ଲେଖିଥିବା ନିଜର ଓପିନିୟନ ପିସ୍‌ରେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ସେହି ବ୍ୟକ୍ତି ସହ ମିଟିଂ କରିବାକୁ ବାରମ୍ବାର ଚାପ ପକାଯାଉଥିଲା, ଯିଏ ତାଙ୍କୁ ହଇରାଣ କରୁଥିଲା। ଏମିଙ୍କ ଏହି ଅଭିଯୋଗ ପରେ ମାମଲା ବଡ ରୂପ ନେଇଛି।

ଏମି ଓପିନୟନ ପିସ୍‌ରେ ଲେଖିଛନ୍ତି ଯେ, ମୋତେ ହଇରାଣ କରୁଥିବା ବ୍ୟକ୍ତି ଏବେ ମଧ୍ୟ ମୋ ପାଖରେ ବସୁଛି। ମୁଁ ଏହି ବିଷୟରେ କହିବାରୁ ମୋତେ ଘରୁ କାମ କରିବାକୁ କିମ୍ବା ଛୁଟିରେ ଚାଲି ଯିବାକୁ କୁହାଗଲା। ହେଲେ ଏବେ ମଧ୍ୟ ଗୁଗଲ ପକ୍ଷରୁ ଆନୁଷ୍ଠାନିକ ଭାବେ ନା କିଛି  କୁହାଯାଇଛି ନା ପୂରା ମାମଲାରେ ସଫେଇ ଦିଆଯାଇଛି।

କର୍ମଚାରୀ ସୁନ୍ଦର ପିଚାଇଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ଆଲ୍‌ଫାବେଟ୍‌ର ୨୦ ହଜାରରୁ ଅଧିକ କର୍ମଚାରୀ ଯୌନ ଉତ୍ପୀଡନ ବିରୋଧରେ ଅଭିଯୋଗ କରିବା ପରେ ମଧ୍ୟ ହଇରାଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଲଫାବେଟ୍‌ରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏହା ଗୁଗଲ ନିୟମ ବିରୋଧରେ  ରହିଛି। ହଇରାଣ କରୁଥିବା ବ୍ୟକ୍ତିଙ୍କ ବ୍ୟବହାରକୁ ସହ୍ୟ କରିବାକୁ କର୍ମଚାରୀଙ୍କୁ ବିବଶ କରାଯାଉଛି। ଏଥିରେ ମର୍ମାହତ ହୋଇ ବ୍ୟକ୍ତି ଅଫିସ୍‌ ଛାଡି ଚାଲି ଯାଉଛନ୍ତି କିନ୍ତୁ ଦୋଷୀ ସେଠାରେ  ରହି ଯାଉଛି ଏବଂ ତାକୁ ସେଠାରେ ପୁରସ୍କୃତ କରାଯାଉଛି।ଆଲଫାବେଟ୍‌ର କର୍ମଚାରୀ କହିଛନ୍ତି, ସେମାନେ ଏମିତି ମାହୋଲରେ କାମ କରିବାକୁ ଚାହୁଁଛନ୍ତି ଯେଉଁଠି ଯୌନ ଉତ୍ପୀଡନ ହେଉନଥିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.