ଚଳନ୍ତା ଅଟୋରେ ମହିଳାଙ୍କୁ ଅସଦାଚରଣ, ଯୁବକଙ୍କୁ ନିସ୍ତୁକ ମାଡ ସହ ପୋଲିସ ଜିମା ଦେଲେ ସ୍ଥାନୀୟଲୋକେ

Published By : Prameya-News7 Bureau | September 17, 2020 IST

ଭୁବନେଶ୍ୱର ୧୭।୦୯: ଚଳନ୍ତା ଅଟୋରେ ମହିଳାଙ୍କୁ ଦେଖିବା ପରେ ଆଉ ସମ୍ଭାଳି ପାରି ନଥିଲେ । ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁଥିଲେ। ଏମିତିକି ତାଙ୍କୁ ଅଶ୍ଲୀଳ ଇଙ୍ଗିତ ମଧ୍ୟ କରିଥିଲେ। ଯୁବକଙ୍କ ଏଭଳି ଆଚରଣ ଅସହ୍ୟ ହେବାରୁ ମହିଳା ଜଣକ ଅଟୋରେ ତାଙ୍କୁ ଚାପୁଡ଼ା ମାରିଲେ। ଏହାପରେ ଅଟୋ ଡ୍ରାଇଭର ଓ ସ୍ଥାନୀୟ ଲୋକଙ୍କ ଠାରୁ ନିର୍ଧୁମ ଛେଚା ଖାଇଲେ। ଏମିତି ଘଟଣା ଦେଖିବାକୁ ମିଳିଛି ଏୟାରପୋର୍ଟ ଥାନା ଅଞ୍ଚଳରେ। ପୋଲିସ ପହଞ୍ଚି ଯୁବକଙ୍କୁ ଗିରଫ କରିଛି। ତାଙ୍କ ନାମ ମୁକ୍ତାର ଖାନ୍‌ ଓରଫ୍‌ ରାଜୁ (୪୭)। ଘର ବାଲିପାଟଣା ସାହବନଗରରେ। ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପୋଖରୀପୁଟ ଅଞ୍ଚଳର ଜଣେ ୩୨ ବର୍ଷୀୟ ମହିଳା ସକାଳ ୧୧ଟା ବେଳେ ପୋଖରୀପୁଟ ଛକରୁ ଅଟୋରେ ଚଢ଼ିଲେ। ତାଙ୍କ ପାଖ ସିଟ୍‌ରେ ରାଜୁ ବସିଥିଲେ। ଅଟୋଟି ରାଜମହଲ ଛକ ଯାଏଁ ଯାଇଥିଲା। ୟା’ ଭିତରେ ରାଜୁ ସମ୍ପୃକ୍ତ ମହିଳାଙ୍କ ଆଡ଼କୁ ଜାକି ହୋଇ ବସିଥିଲେ। କରୋନା ସଂକ୍ରମଣ ଡର ଥିବା ଦର୍ଶାଇ ମହିଳାଜଣକ ତାଙ୍କ ପାଖକୁ ନ ଆସିବାକୁ ବାରଣ କରିଥିଲେ। ରାଜୁ ମଧ୍ୟ ତାଙ୍କ କଥା ମାନି ଦୂରେଇ ଯାଇଥିଲେ। ମହିଳାଜଣକ କାମ ସାରି ଘରକୁ ଫେରିବା ପାଇଁ ରାଜମହଲ ଛକରୁ ଅନ୍ୟ ଏକ ଅଟୋରେ ଚଢ଼ିଥିଲେ। ମହିଳାଙ୍କୁ ପିଛା କରୁଥିବା ରାଜୁ ମଧ୍ୟ ଉକ୍ତ ଅଟୋରେ ବସି ପଡିଥିଲା। ଏଥର ରାଜୁର ବଦମାସୀ ବଢ଼ି ଯାଇଥିଲା। ମହିଳାଙ୍କ ବିଭିନ୍ନ ଅଙ୍ଗକୁ ଛୁଇଁବାକୁ ଲାଗିଲା। ଏମିତିକି ମହିଳାଙ୍କ ବେକରେ ଥିବା ସୁନା ଚେନ୍‌କୁ ଛଡ଼ାଇବାକୁ ଚେଷ୍ଟା କରିଥିଲା।

ନଖରାମୀ ଅସହ୍ୟ ହେବାରୁ ପଲାସପଲ୍ଲୀ ଛକରେ ମହିଳାଜଣକ ଅଟୋରୁ ଓହ୍ଲାଇ ରାଜୁ ଗାଲକୁ ଚାପୁଡ଼ା ମାରିବାକୁ ଲାଗିଲେ। ଅଟୋ ଡ୍ରାଇଭର ଓ ସ୍ଥାନୀୟ ଲୋକ ରାଜୁର ଅସଲ ଚେହେରା ଜାଣିବା ପରେ ତାଙ୍କୁ ନେଇ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇ ନିସ୍ତୁକ ପିଟିଥିଲେ। ଏୟାରପୋର୍ଟ ଥାନା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ରାଜୁଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ମାମଲା ରୁଜୁ କରି ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.