ପିଲାଛୁଆ ହେଉନଥିଲା ବୋଲି ନିର୍ଯ୍ୟାତନା ଦେଉଥିଲେ ସ୍ବାମୀ ଓ ଶ୍ବଶୁର ଘର ଲୋକେ, ଫ୍ୟାନ୍ରେ ରଶି ଲଗାଇ ଆତ୍ମହତ୍ୟା କଲେ ମହିଳା
12/01/2021 at 1:34 PM

ହାଇଦରାବାଦ ୧୨/୦୧ : ପରିବାର ଲୋକଙ୍କ ନିର୍ଯ୍ୟାତନା ସହିନପାରି ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ହାଇଦରାବାଦ ସରୋରନଗରର ମୃତକ ମହିଳାଜଣଙ୍କୁ ସ୍ବାମୀ ଏବଂ ଶ୍ବଶୁର ଘର ଲୋକ ବିଭିନ୍ନ ସମୟରେ ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ଏଥିରେ ଅସହ୍ୟ ହୋଇ ଉଦୟା ଶ୍ରୀ ନାମକ ମହିଳା ଆତ୍ମହତ୍ୟା କରିଛନ୍ତି ।
ସୂଚନା ଅନୁସାରେ ଉଦୟା ଶ୍ରୀ ୨୦୦୯ ମସିହାରେ ସୁରେଶ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । କିନ୍ତୁ ବାହାଘରର ଦୀର୍ଘ ବର୍ଷ ପରେ ମଧ୍ୟ ଉଭୟଙ୍କର କିଛି ପିଲାଛୁଆ ହେଉନଥିଲା । ଏଥିରେ ଉତକ୍ଷିପ୍ତ ସୁରେଶ ଏବଂ ତାଙ୍କ ପରିବାର ଉଦୟାଙ୍କୁ ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ ।
ତେବେ ପୋଲିସ କହିବା ମୁତାବକ, ଶନିବାର ଦିନ ରାତିରେ ମୃତ ମହିଳାଙ୍କ ସ୍ବାମୀ ସୁରେଶ ଘରକୁ ଫେରିଥିଲେ । ଘରେ ପହଞ୍ଚି କବାଟ ଖୋଲିବା ପାଇଁ କହିଥିଲେ ମଧ୍ୟ ଭିତରୁ କେହି କବାଟ ଖୋଲୁନଥିଲେ । ଦୀର୍ଘ ସମୟ ଧରି କବାଟ ନଖୋଲିବାରୁ ସେ ପୋଲିସକୁ ଫୋନ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ପଡୋଶୀଙ୍କ ସାହାଯ୍ୟରେ ସୁରେଶ କବାଟକୁ ଭାଙ୍ଗିଥିଲେ । ଘର ଭିତରେ ପ୍ରବେଶ କରି ଦେଖିବାକୁ ପାଇଥିଲେ ତାଙ୍କ ପତ୍ନୀ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।
ସ୍ଥାନୀୟ ପୋଲିସ ଏହି ଘଟଣାରେ ମୃତ ମହିଳା ଉଦୟାଶ୍ରୀଙ୍କ ସ୍ବାମୀ ସୁରେଶ ଏବଂ ତାଙ୍କ ପିତା-ମାତାଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୦୬ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ଜବତ ହୋଇନଥିବା ପୋଲିସ କହିଛି ।