Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହନୁମାନ ପଇସାକୁ ନେଇ ବିବାଦ : ଅପହୃତ ଯୁବକଙ୍କୁ ଉଦ୍ଧାର କଲା ପୋଲିସ, ୧୦ ଗିରଫ

17/09/2020 at 12:54 PM

ସୁନ୍ଦରଗଡ଼ ୧୭।୦୯: ଲୋଭ ପାଇଁ ବିବାଦ । ହନୁମାନ ପଇସା ନେଇ ପୁଣି ଥରେ ବିବାଦ ଦେଖିବାକୁ ମିଳିଛି । ଏଥର ସୁନ୍ଦରଗଡ଼ ଟାଉନ ଥାନା ଅଞ୍ଚଳରେ ଘଟିଛି ଘଟଣା । ହନୁମାନ ପଇସାକୁ ଏନେଇ ଅପହରଣ କରାଯାଇଥିବା ଯୁବକଙ୍କୁ ଦୃର୍ବୃତ୍ତଙ୍କ କବଳରୁ ଉଦ୍ଧାର କରିଛି ପୋଲିସ । ଏନେଇ ପୋଲିସ ୨ଟି ମାମଲା ରୁଜୁ କରି ୧୦ଜଣଙ୍କୁ ଗିରଫ କରିଛି ।

ଗତକାଲି ପ୍ରାୟ ଦିନ ସାଢ଼େ ୧୧ଟା ବେଳେ ସହରର ପତ୍ରାପଡ଼ା ନିବାସୀ ବଣ୍ଟି ସାହୁ (୨୭) ଏବଂ ସୁବଳୟା ଗ୍ରାମର ତାଙ୍କ ସାଙ୍ଗ ମାଧବ ମିଞ୍ଜ (୨୯) ଏକ ବାଇକ୍‌ରେ କିରେଇକୁ ଯାଇଥିଲେ । ସେଠାରେ ସେମାନେ ଅଟକି ବଣ୍ଟି କୌଣସି ଏକ ସ୍ଥାନକୁ ଯାଇଥିବା ବେଳେ ଏକ ଧଳା ରଙ୍ଗର କାର ତାଙ୍କ ବାଇକ ସାମ୍ନାରେ ହଠାତ୍‌ ଛିଡ଼ା ହୋଇଥିଲା । ସେହି କାରରୁ ୪ରୁ ୫ ଜଣ ବାହାରି ମାଧବଙ୍କୁ ଜୋରଜବରଦସ୍ତ ଅପହରଣ କରି ନେଇଥିଲେ । ବଣ୍ଟି ଫେରି ଆସି ଦେଖିଲା ବେଳକୁ ତାଙ୍କ ବାଇକ୍‌ କିମ୍ବା ମାଧବ ନାହାନ୍ତି । ପରେ ସେ ବହୁ ଖୋଜାଖୋଜି କରିଥିଲେ ।

ରାତି ୮ଟା ବେଳକୁ ତାଙ୍କ  ମୋବାଇଲ ନଂକୁ ଏକ କଲ୍‌ ଆସିଥିଲା । ମାଧବଙ୍କୁ ପାଇବାକୁ ହେଲେ ପ୍ରଥମେ ୬ ଲକ୍ଷ, ତା’ ପରେ ୧୦ ଲକ୍ଷ ଏବଂ ତୃତୀୟଥର କଲ୍‌ରେ ୨୦ ଲକ୍ଷ ଦାବି କରାଯାଇଥଥିଲା । ପରେ ବଣ୍ଟି ଘଟଣା ସମ୍ପର୍କରେ ଟାଉନ ଥାନାରେ ଏତଲା ଦେବାରୁ ଟାଉନ ଥାନା ଅଧିକାରୀ ବିଭୁ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ସଦର ବ୍ଲକ୍‌ ଅଞ୍ଚଳରେ ଚଢ଼ଉ କରି ବିଭିନ୍ନ ସ୍ଥାନରୁ ଅପହରଣକାରୀ ଶ୍ରବଣ କୁମାର ପାତ୍ର (୨୪), ରାକେଶ କୁମାର ଶର୍ମା (୨୬), ସୁରେଶ ରାଉତ (୩୮), ଲିଙ୍ଗରାଜ ସୁଦ୍‌ (୨୭), ଅଗସ୍ତି ମିଶ୍ର (୩୦), ଦେବ ବାରଭୂୟାଁ (୨୫) ଏବଂ ତପନ କୁମାର ବାଘ (୩୩)ଙ୍କୁ ଗିରଫ କରିଛି ।

ଅପରପକ୍ଷରେ ଶ୍ରବଣ କୁମାର ପାତ୍ରଙ୍କ ଅଭିଯୋଗ କ୍ରମେ ମାଧବ କୁଆଡ଼େ ହନୁମାନ ପଇସା ଦେବା ପାଇଁ ତାଙ୍କ ପାଖରୁ ତିନି ଲକ୍ଷ ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ କରିଥିବା ବେଳେ ଏହା ଉପରେ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ୍‌ ବଣ୍ଟି ସାହୁ, ସନିକ କୁମାର ଏବଂ ମାଧବ ମିଞ୍ଜଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ନିକଟରୁ ୨ଟି ମୋବାଇଲ, ଗୋଟିଏ କାର୍‌, ଗୋଟିଏ ବାଇକ୍‌ ସମେତ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ ନେଇ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

   Related Posts