ସାଇଙ୍କ ଆଗରେ ବାବା ବେଶରେ ବସି ପୂଜା ପାଉଥିବା ହଂସୁଆ ବାବା ଅଟକ : କୁଜଙ୍ଗରେ କାରନାମା ପରେ ଖୋର୍ଦ୍ଧା ଖସି ଆସିଥିଲେ, କିନ୍ତୁ ଗୋଡେଇ ଧରିଆଣିଲା ପୋଲିସ

Published By : Prameya-News7 Bureau | September 08, 2020 IST

ଜଗତସିଂହପୁର, ୦୮।୦୯:  ନ୍ୟୁଜ୍‌ ସେଭେନରେ ଖବର ପ୍ରସାରଣ ପରେ କୋଭିଡ୍‌ ନିୟମ ଉଲଂଘନ କରିଥିବା ହଂସୁଆ ବାବାଙ୍କୁ ଅଟକ ରଖିଛି ଖୋର୍ଦ୍ଧା ବାଘମାରୀ ପୋଲିସ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶ ପରେ ବାଘମାରୀରେ ଥିବା ଆଶ୍ରମରୁ ବାବାଙ୍କୁ ଉଠାଇ ଆଣି ପଚରା ଉଚରା ଚଳାଇଛି ପୋଲିସ । ସେପଟେ ଜଗତସିଂହପୁର କୁଜଙ୍ଗ ବ୍ଲକର କୃଷ୍ଣଚନ୍ଦ୍ରପୁର ସତରା ଗାଁରେ ଥିବା ସିରିଡ଼ି ସାଇବାବାଙ୍କ ମନ୍ଦିରରେ କିଭଳି ସିରିଡ଼ି ସାଇଙ୍କ ସାମ୍ନାରେ ମଣିଷ ପୂଜା ଚାଲିଥିଲା, କିଭଳି କୋଭିଡ୍‌ କଟକଣାକୁ ଉଲଂଘନ କରି ହଂସୁଆ ବାବା ନିଜର ଅନୁଗତଙ୍କ ଦ୍ବାରା ନିଜର ଆଳତୀ କରାଉଥିଲେ ତା’ର ଖୁଲାସା କରିଥିଲା ନ୍ୟୁଜ୍‌ 7 ।

କୋଭିଡ୍‌ ନିୟମ ଉଲଂଘନ ଅଭିଯୋଗରେ ଖୋର୍ଦ୍ଧା ବାଘମାରୀ ଥାନାରେ ଅଟକ ହଂସୁଆ ବାବା । ଜଗତସିଂହପୁର କୁଜଙ୍ଗ ବ୍ଲକର କୃଷ୍ଣଚନ୍ଦ୍ରପୁର ସତରା ଗାଁରେ ଥିବା ସିରିଡ଼ି ସାଇବାବାଙ୍କ ମନ୍ଦିରରେ କିଭଳି ସିରିଡ଼ି ସାଇଙ୍କ ସାମ୍ନାରେ ମଣିଷ ପୂଜା ଚାଲିଥିଲା, କିଭଳି କୋଭିଡ୍‌ କଟକଣାକୁ ଉଲଂଘନ କରି ନିଜ ଅନୁଗତଙ୍କ ଦ୍ବାରା କିଭଳି ନିଜର ଆଳତୀ କରାଉଥିଲେ ହଂସୁଆ ବାବା, ଦର୍ଶକଙ୍କ ଆଗରେ ତା’ର ଗୋଟି ଗୋଟି କରି ସମସ୍ତ ପ୍ରମାଣ ରଖିଥିଲା ନ୍ୟୁଜ୍‌ 7 । ଲକ୍‌ଡାଉନ୍‌ ସମୟରେ ଯେତେବେଳେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ମନା ଥିଲା, ସେତେବେଳେ ସତରାରେ ଥିବା ସିରିଡ଼ି ସାଇ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିର ସୁଯୋଗ ନେଇ ନିଜର ଆସ୍ଥାନ ଜମାଇଥିଲେ ଖୋର୍ଦ୍ଧା ବାଘମାରୀର ଏହି ହଂସୁଆ ବାବା । ସିରିଡ଼ି ସାଇଙ୍କ ପୂଜାର୍ଚ୍ଚନା ଆଳତୀ ବନ୍ଦ କରିବା ସହ ସାଇଙ୍କ ସାମ୍ନାରେ ନିଜର  ଆସ୍ଥାନ ଜମାଇଥିଲେ । ଗଳାରୁ ପାଦ ପର୍ଯ୍ୟନ୍ତ ତୁଳସୀମାଳ ପକାଇ ଏକ ସିଂଘାସନ ଉପରେ ବାବା ବସିଥିବା ବେଳେ ତାଙ୍କର କିଛି ଅନୁଗତ ବାବାଙ୍କ ପୂଜାର୍ଚ୍ଚନା ଓ ଆଳତୀ କରିବାର ଦୃଶ୍ୟକୁ କଏଦ୍‌ କରିଥିଲା ନ୍ୟୁଜ୍‌ 7 ଟିମ୍‌ । ଏଥିରେ ବାବା ଓ ତାଙ୍କ ଅନୁଗତମାନେ ଖୋଲାଖୋଲି କୋଭିଡ୍‌ ନିୟମ ଉଲଂଘନ କରିଥିବାର ପ୍ରମାଣ ସାମ୍ନାକୁ ଆସିଥିଲା । ବାବା କିନ୍ତୁ ଏହାକୁ ମାନିବାକୁ ନାରାଜ । ସେପଟେ ହଂସୁଆ ବାବାଙ୍କ ଏଭଳି ଆଚରଣ ସ୍ଥାନୀୟ ସାଇ ଶ୍ରଦ୍ଧାଳୁଙ୍କ ଭାବାବେଗକୁ  ଗଭୀର ଆଘାତ ଦେଇଥିଲା ।

ନ୍ୟୁଜ୍‌ 7ରେ ଏନେଇ ଖବର ପ୍ରସାରଣ ପରେ ଆକ୍ସନକୁ ଆସିଥିଲା ଜଗତସିଂହପୁର ଜିଲ୍ଲା ପ୍ରଶାସନ । କୁଜଙ୍ଗ ପୋଲିସ ବାବାଙ୍କ ୩ଜଣ ଅନୁଗତଙ୍କୁ ଥାନା ଆଣି ପଚରାଉଚରା ଚଳାଇଥିବା ବେଳେ ସେପଟେ ଖୋର୍ଦ୍ଧା ବାଘମାରୀ ଥାନାରେ ଅଟକ ଅଛନ୍ତି ଖୋଦ୍‌ ହଂସୁଆ ବାବା ।

ହଂସୁଆ ବାବାଙ୍କ ବିରୋଧରେ କୋଭିଡ୍‌ ନିୟମ ଉଲଂଘନର ଯଥେଷ୍ଟ ପ୍ରମାଣ ରହିଛି । ଯାହାକୁ ନେଇ ବାବାଙ୍କୁ ଗିରଫ କରିପାରେ ପୋଲିସ । ତେବେ ଖୋର୍ଦ୍ଧା ବାଘମାରିରେ ଥିବା ବାବାଙ୍କ ଆଶ୍ରମ ଠାରୁ ଆରମ୍ଭ କରି ଜଗତସିଂହପୁରରେ ବାବା ଆସ୍ଥାନ ଜମାଇଥିବା ସାଇମନ୍ଦିର ପର୍ଯ୍ୟନ୍ତ କ’ଣ ସବୁ ବେଆଇନ୍‌ କାର୍ଯ୍ୟ ଚାଲିଥିଲା ତା’ର ଖୋଳତାଡ଼ ମଧ୍ୟ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.