ଗିରଫ ହେବେ ହଂସୁଆ ବାବା, ବାଘମାରି ଯାଇ ତଦନ୍ତ କରାଯିବ, ନ୍ୟୁଜ 7ରେ ଖବର ପ୍ରସାରଣ ପରେ ଆକ୍ସନ ମୋଡ୍‌ରେ ପୋଲିସ

Published By : Prameya-News7 Bureau | September 08, 2020 IST

ଜଗତସିଂହପୁର, ୦୮|୦୯  : ସାଇ ମନ୍ଦିରରେ ହଂସୁଆ ବାବାଙ୍କ ପୂଜା ପ୍ରସଙ୍ଗ ନ୍ୟୁଜ୍ 7ରେ ପ୍ରସାରିତ ହେବା ପରେ ଆକ୍ସନ ମୋଡରେ ପୋଲିସ । ବାବାଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଜଗତସିଂହପୁର ଏସପି ।ଏହାସହ ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ବାଘମାରୀ ଯାଇ ତଦନ୍ତ କରିବ ।

ସୂଚନାନୁସାରେ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର କୃଷ୍ଣଚନ୍ଦ୍ରପୁର ସତରା ଗାଁରେ ରହିଛି  ସିରିଡ଼ି ସାଇଙ୍କ ଏକ ମନ୍ଦିର । ୧୫-୨୦ବର୍ଷ ହେବ ଏହି ମନ୍ଦିରରେ ଶ୍ରଦ୍ଧାଳୁମାନେ ସାଇବାବାଙ୍କ ପୂଜାର୍ଚ୍ଚନା କରିଆସୁଥିଲେ । ସାଇଙ୍କ ପାଖରେ ଶ୍ରଦ୍ଧା ରଖୁଥିବା ଶ୍ରଦ୍ଧାଳୁ ଦୂର ଦୂରାନ୍ତରୁ ସିରିଡ଼ି ସାଇଙ୍କ ଆଳତୀ ଦର୍ଶନ ପାଇଁ ଏହି ମନ୍ଦିରରେ ପହଞ୍ଚୁଥିଲେ । ଏବେ କରୋନା କଟକଣା ପାଇଁ କିଛି ଦିନ ହେଲା ଯେତେବେଳେ ସାଇଙ୍କ ମନ୍ଦିରଙ୍କୁ ଶ୍ରଦ୍ଧାଳୁମାନେ ଆସୁନଥିଲେ । କେବଳ ମନ୍ଦିର ପୂଜାରିଙ୍କ ଦ୍ବାରା ସାଇବାବାଙ୍କ ଦୈନନ୍ଦିନ ପୂଜାକାର୍ଯ୍ୟ କରାଯାଉଥିଲା ।

ଏହାର ସୁଯୋଗ ନେଇ ଏବେ ଜଣେ ବାବା ସେଇ ମନ୍ଦିରରେ ନିଜର ଆସ୍ଥାନ ଜମାଇଦେଇଛନ୍ତି । ଶିରିଡ଼ି ସାଇବାବାଙ୍କ ପୂଜାର୍ଚ୍ଚନା ବନ୍ଦ କରି ତାଙ୍କରି ସାମ୍ନାରେ ସିଂହାସନରେ ବସି  କିଛି ଅନୁଗତଙ୍କ ଦ୍ବାରା ନିଜେ ପୂଜା କରାଉଛନ୍ତି । ଏହି ବାବା ଜଣକ ଗଳାରୁ ପାଦ ପର୍ଯ୍ୟନ୍ତ ତୁଳସୀମାଳ ପିନ୍ଧିଥିବା ଦେଖିବାକୁ ମିଳୁଛି । ଆଉ କିଛି ମହିଳା ବାବାଙ୍କୁ ଆଳତୀ କରିବା ସହ ତାଙ୍କର ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି । ସାମ୍ନାରେ ଆସ୍ଥାନ ଜମାଇ ବସିଥିବା ଜଣେ ମଣିଷରୂପୀ ବାବାଙ୍କୁ ।

କିଛି ଲୋକ ଭଜନ କିର୍ତ୍ତନ କରୁଛନ୍ତି,  ବାବାଙ୍କ ପାଖରେ ଆଲଟ ଚାମର ସେବା ଚାଲିଛି । କିଛି ମହିଳା ତାଙ୍କର ଆଳତୀ କରୁଛନ୍ତି । ତେବେ  ଚର୍ଚ୍ଚାକୁ ଆସିଥିବା ଏହି ବାବାଙ୍କ ଅସଲ ଠିକଣା କ’ଣ ଆମେ ଖୋଜିବାକୁ ଚେଷ୍ଟା କରିଥିଲୁ । ଏହି ବାବାଙ୍କୁ କୁଆଡ଼େ ସମସ୍ତେ ହଂସୁଆ ବାବା ବୋଲି କହୁଛନ୍ତି । ହଂସୁଆ ବାବା ଓରଫ୍‌ ନିକୁଞ୍ଜ ବାବା ନାଁରେ ପରିଚିତ ଏହି ବାବାଙ୍କ ଠିକଣା ହେଉଛି  ଖୋର୍ଦ୍ଧା ବାଘମାରୀ । ବାଘମାରୀରେ ବାବାଙ୍କ ଆଶ୍ରମ ରହିଛି । ସେଠାରେ ମଧ୍ୟ ସେମିତି ଗଳାରେ ତୁଳସୀମାଳ ପକାଇଥିବାର ଦେଖିବାକୁ ମିଳିଥିଲା । ନ୍ୟୁଜ7ର ଗୁପ୍ତ କ୍ୟାମେରାରେ ଏହି ସମସ୍ତ ଦୃଶ୍ୟ କଏଦ ହୋଇଥିଲା । ନ୍ୟୁଜ 7ରେ ଏହି ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛ ପ୍ରଶାସନ ।

ନ୍ୟୁଜ7କୁ ପ୍ରତିକ୍ରିୟା ଦେଇ ଜଗତସିଂହପୁର ଏସପି ଆର୍ ପ୍ରକାଶ କହିଛନ୍ତି ଯେ, ଘଟଣାରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । ବାବାଙ୍କୁ ଗିରଫ କରାଯିବ । ଏହାସହ ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ବାଘମାରୀ ଯାଇ ତଦନ୍ତ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.