ରାହୁଲଙ୍କୁ ନେତା ମାନୁନଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହଂସରାଜ ଭରଦ୍ଵାଜଙ୍କ ପରଲୋକ
8/03/2020 at 8:42 PM

ନୂଆଦିଲ୍ଲୀ ୦୮।୦୩- କର୍ଣ୍ଣାଟକ ତଥା କେରଳର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ଆଇନ ମନ୍ତ୍ରୀ ହଂସରାଜ ଭରଦ୍ଵାଜଙ୍କ ରବିବାର ପରଲୋକ ଘଟିଛି। ମୃତ୍ୟବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ପରିବାର ମୁତାବକ କାର୍ଡିଆକ ଆରେଷ୍ଟ କାରଣରୁ ଆଜି ତାଙ୍କର ନିଧନ ଘଟିଛି। ହଂସରାଜ ଭରଦ୍ଵାଜ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ।
ହଂସରାଜଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି ଅପରାହ୍ନ ୪ଟାରେ ଦିଲ୍ଲୀର ନିଗମ ବୋଧ ଘାଟରେ ହେବ। ୧୯୩୭ ମେରେ ଜନ୍ମ ଗ୍ରହଣ କରିଥିବା ହଂସରାଜ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ କର୍ଣ୍ଣାଟକର ରାଜ୍ୟପାଳ ଥିଲେ। ସେ ୨୦୧୨-୧୩ ପର୍ଯ୍ୟନ୍ତ କେରଳର ରାଜ୍ୟପାଳ ମଧ୍ୟ ଥିଲେ।
ହଂସରାଜ ଭରଦ୍ଵାଜ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ କେନ୍ଦ୍ର ଆଇନ ମନ୍ତ୍ରୀ ଥିଲେ। ଭରଦ୍ଵାଜ କଂଗ୍ରେସର ସେହି ନେତାଙ୍କ ମଧ୍ୟରେ ଥିଲେ ଯିଏ ସର୍ବଦା ରାହୁଲ ଗାନ୍ଧୀଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠାଉଥିଲେ। ୨୦୧୮ରେ ହଂସରାଜ କହିଥିଲେ ଯେ, ମୁଁ ରାହୁଲ ଗାନ୍ଧୀଙ୍କୁ ଜଣେ ନେତା ଭାବେ ସ୍ଵୀକାର କରିବି ନାହିଁ। ସେ ତେବେ ଯାଇ ମୋର ଏହି କଥାର ମର୍ମକୁ ବୁଝି ପାରିବେ ଯେବେ ସେ କୌଣସି ପଦରେ ରହିବେ।
ଏହା ପୂର୍ବରୁ ୨୦୧୬ ଏପ୍ରିଲରେ ହଂସରାଜ ରାହୁଲ ଗାନ୍ଧୀ କଂଗ୍ରେସର ଉପ ସଭାପତି ଥିବା ବେଳେ କହିଥିଲେ ଯେ, ତାଙ୍କୁ ଏବେ ଶିଖିବାର ଆବଶ୍ୟକତା ରହିଛି। ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଭରଦ୍ଵାଜ କହିଥିଲେ ଯେ, ବିଜେପି ସହିତ ମୁକାବିଲାରେ କଂଗ୍ରେସ ବହୁତ ଦୁର୍ବଳ ସାବ୍ୟସ୍ତ ହୋଇଛି। କଂଗ୍ରେସ ଓ ରାହୁଲ ଗାନ୍ଧୀ ଗ୍ରାଉଣ୍ଡ ରିପୋର୍ଟରେ ସଂପୂର୍ଣ୍ଣ ଅନଭିଜ୍ଞ ଥିଲେ।