କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Published By : Prameya-News7 Bureau | April 14, 2021 IST

ଝାରସୁଗୁଡା ୧୪।୪: ଏମସିଏଲ କୋଇଲା ଖଣି ମ୍ୟାନେଜର ଅଫିସରେ କାର୍ଯ୍ୟରତ ୪ର୍ଥ ଶ୍ରେଣୀ ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା । ବ୍ରଜରାଜନଗର ନିକଟସ୍ଥ ବୋନ୍ଦିଆ ଖଣି ମ୍ୟାନେଜରଙ୍କ ଅଫିସରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ରଜନୀ ବେହେରା ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା କରିଛନ୍ତି । ମଙ୍ଗଳବାର ଦ୍ବିପ୍ରହରରେ ଭୋଜନ ଅବକାଶ ସମୟରେ ଅଫିସରେ କାର୍ଯ୍ୟରତ ସମସ୍ତ ଅଧିକାରୀ, କର୍ମଚାରୀ ଘରକୁ ଖାଇବାକୁ ଯାଇଥିଲା ବେଳେ ରଜନୀ ଘରକୁ ନଯାଇ ଅଫିସରେ ରହିଥିଲେ। ପରେ ସମସ୍ତେ ପୁଣି କାର୍ଯ୍ୟରେ ଯୋଗଦେବା ପରେ ବୋନ୍ଦିଆ ଖଣି ମ୍ୟାନେଜର ପି.କେ. ବେହେରାଙ୍କ କାର୍ଯ୍ୟାଳୟ ନିକଟରେ ରହିଥିବା ଅନ୍ୟ ଏକ କୋଠରୀରେ ନିଜ ବେକରେ ରାଶି ଲଗାଇ ଝୁଲୁଥିବା ଦେଖିଲେ ଅନ୍ୟ କର୍ମଚାରୀ । ଆତ୍ମହତ୍ୟାର କାରଣ ଜଣାପଡିନାହିଁ । କିନ୍ତୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି ଜଣେ ମହିଳା ବିଧବା କର୍ମଚାରୀ ଅଫିସରେ କାହିଁକି କଲେ ଆତ୍ମହତ୍ୟା । ରାମପୁର ପୋଲିସର ଘଟଣାର ତଦନ୍ତ ଆରମ୍ଭ କରିଛି ।

ମୃତ ମହିଳା କର୍ମଚାରୀ ନିଜ ସ୍ବାମୀଙ୍କ ଦେହାନ୍ତ ପରେ ୨୦୧୦ ମସିହାରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ। ବ୍ରଜରାଜନଗରରେ ଏକୁଟିଆ ରହୁଥିଲେ ମହିଳା । ତାଙ୍କ ପିଲାମାନେ ନିଜ ଗାଁ ଅନୁଗୋଳ ଜିଲ୍ଲାରେ ରହୁଥିଲେ । ବୁଧବାର ସକାଳୁ ମ୍ରୁତ ମହିଳାଙ୍କ ସଂପର୍କୀୟମାନେ ବ୍ରଜରାଜନଗର ପହଞ୍ଚିବା ପରେ ମୃତକଙ୍କ ଝିଅକୁ ଏମସିଏଲରେ ଚାକିରୀ ନଦେବା ପର୍ଯ୍ୟନ୍ତ ଶବକୁ ଉଠାଇବେ ନାହିଁ ବୋଲି ଜିଦ୍ ଧରି ବସିଛନ୍ତି । ଅଫିସ ଭିତରେ ଜଣେ ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଛିଦିନ ତଳେ ଲଖନପୁର ଖୋଲାମୁହଁ କୋଇଲା ଖଣିର ଜଣେ ଅଧିକାରୀ ମହିଳା କର୍ମଚାରୀଙ୍କୁ ଯୌନ ଉତ୍ପୀଡନ ଦେବା ଅଭିଯୋଗ ଆସିବା ପରେ ସଂପୃକ୍ତ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.