ପ୍ରେମିକ ଘରୁ ପ୍ରେମିକାର ଝୁଲନ୍ତା ମୃତଦେହ ଉଦ୍ଧାର, ବିବାହରେ ବିଳମ୍ବ ହେତୁ ଆତ୍ମହତ୍ୟା କରିଥିବା ଅଭିଯୋଗ
3/11/2019 at 1:44 PM

ଆନନ୍ଦପୁର ୩।୧୧: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଣ୍ଡୁଆ ଗାଁରେ ଘରଭିତରୁ ଜଣେ ଯୁବତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଆନନ୍ଦପୁର ପୌରାଞ୍ଚଳ ୩ନଂ ଓ୍ବାର୍ଡ ଡାହାଣୀ ଗଡିଆ ସାହିର ବିନୋଦ ଦାସଙ୍କ ଝିଅ ସ୍ନେହଲତା । ସ୍ନେହଲତାଙ୍କୁ ପଣ୍ଡୁଆ ଗାଁର ଜଣେ ଯୁବକ ପ୍ରେମ କରୁଥିଲେ । ଦେଢମାସ ତଳେ ନିଜ ଘରକୁ ସ୍ନେହଲତାଙ୍କୁ ନେଇଯାଇଥିଲେ ସଂପୃକ୍ତ ଯୁବକ । ହେଲେ ଏ ପର୍ଯ୍ୟନ୍ତ ଉଭୟଙ୍କ ବିବାହ ହୋଇନଥିଲା । ସ୍ନେହଲତାଙ୍କର ଆଖିକୁ ସମ୍ପୂର୍ଣ୍ଣ ଭାବେ ଦେଖାଯାଏ ନାହିଁ । ଗତ କିଛିଦିନ ହେବ ଯୁବକ ଜଣଙ୍କ କାମରେ ବାହାରକୁ ଯାଇଥିବାବେଳେ ସ୍ନେହଲତା ଘରେ ସଂପୃକ୍ତ ଯୁବକଙ୍କ ବାପା ଏବଂ ମାଙ୍କ ସହ ରହୁଥିଲେ ।

ଗତକାଲି ରାତିରେ ଖାଇସାରିବା ପରେ ଘରର ସମସ୍ତେ ଶୋଇଯାଇଥିଲେ । ହେଲେ ସକାଳୁ କବାଟ ନଖୋଲିବାରୁ କବାଟ ଭାଙ୍ଗି ଦେଖିବା ବେଳକୁ ସ୍ନେହଲତା ନିଜ ଓଡଣୀରେ ରଶି ଲଗାଇ ଝୁଲିପଡିଛନ୍ତି । ତେବେ ବିବାହ କରାଇବାରେ ପୁଅ ଘର ଲୋକେ ଡେରି କରିବାରୁ ସ୍ନେହଲତା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ତାଙ୍କ ମା’ ଶକୁନ୍ତଳା ଅଭିଯୋଗ କରିଛନ୍ତି । ଆନନ୍ଦପୁର ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି ।