Thursday, December 12, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଝୁଲୁଛି ଝୁଲା ପୋଲର ଭାଗ୍ୟ

ମାଲକାନଗିରି ୦୩।୧୨ – ଝୁଲୁଛି ଝୁଲା ପୋଲର ଭାଗ୍ୟ । ମାନକାନଗିରି ବିଚ୍ଛିନ୍ନାଞ୍ଚଳର ଦୁଇଟି ପଞ୍ଚାୟତକୁ ସଂଯୋଗ କରିବା ଲାଗି ପାଲେମ ନଦୀ ଉପରେ ନିର୍ମିତ ଝୁଲା ପୋଲ ଏବେ ଝୁଲି ରହିଛି । ୬ ମାସ ନପୁରୁଣୁ ଝୁଲା ପୋଲର ଦୁଇଟି ତାର ଛିଡି ଯିବାରୁ ଏହା ପାଣି ଉପରେ ଝୁଲୁଛି । ଫଳରେ ୮୪ ଟି ଗାଁର ଶହ ଶହ ଆଦିବାସୀ ପୂର୍ବ ପରି ବିପଦ ସଂଙ୍କୁଳ ଅବସ୍ଥାରେ ନଦୀ ପାର କରୁଛନ୍ତି ।

ଏ ଦୁଇ ଦୃଶ୍ୟକୁ ଦେଖନ୍ତୁ (ଡବଲ ଓ୍ବିଣ୍ଡୋ) । ଗୋଟିଏ ପଟେ ୪ କୋଟି ଟଙ୍କାର ବିରାଟ ଝୁଲା ପୋଲ, ଅନ୍ୟପଟେ ବିପଦ ସଙ୍କୁଳ ଅବସ୍ଥାରେ ନଈ ପାର୍ ହେଉଛନ୍ତି ଲୋକେ । ଏ ଦୃଶ୍ୟ ମାନକାନଗିରି ବିଚ୍ଛିନ୍ନାଞ୍ଚଳର । ଏଠି ଝୁଲି ରହିଛି ଝୁଲା ପୋଲର ଭାଗ୍ୟ । ରାଲେଗାଡା ଓ ଧୂଳିପୁଟ ପଞ୍ଚାୟତର ୮୪ ଟି ଗାଁକୁ ସିଧା ସଳଖ ସଂଯୋଗ ଲାଗି ପାଲେମ ନଦୀ ଉପରେ ନିର୍ମିତ ଏହି ଝୁଲ ପୋଲ ଏବେ ଅଚଳ ହୋଇ ପଡିଛି । ରାସ୍ତା ବନ୍ଦ ବୋଲି ବ୍ୟାନର ଝୁଲୁଛି । ଫଳରେ ବିଚ୍ଛିନ୍ନାଞ୍ଚଳବାସୀ ସମସ୍ୟା ଭୋଗୁଛନ୍ତି ।ଯେଉଁ ସମସ୍ୟା ସେମାନେ ବ୍ରିଜ୍ ତିଆରି ପୂର୍ବରୁ ଭୋଗୁଥିଲେ ।

୨୦୧୬ ମସିହାରେ ପାଲେମ ନଦୀ ଉପରେ ଝୁଲା ପୋଲ ନିର୍ମାଣ ଲାଗି ରାଜ୍ୟ ସରକାର କୋଲକାତାର ଗାଡେନ ରିଚ୍ ନାମକ ଘରୋଇ କମ୍ପାନିକୁ ଠିକା ଦେଇଥିଲେ । ୩ ବର୍ଷ ପରେ ଅର୍ଥାତ୍ ୨୦୧୯ ଏପ୍ରିଲ ମାସରେ ସଂପୂର୍ଣ ହୋଇଥିଲା ଝୁଲା ପୋଲ କାମ । ହେଲେ ନିର୍ମାଣର ୬ ମାସ ନପୂରୁଣୁ ଏହାର ୨ ଟି ତାର ଛିଡି ଯାଇଛି । ବିପଦ ସଂଙ୍କୁଳ ଅବସ୍ଥାରେ ପାଲେମ ନଦୀ ଉପରେ ଝୁଲି ରହିଛି । କେତେ ବେଳେ ଯେ ପାଣି ଭିତରେ ଗଳି ପଡିବ ତାହା କହିବା ମୁସକିଲ୍ । ଧନ ଜୀବନ ସୁରକ୍ଷାକୁ ଦୃଷ୍ଟିରୁ ପୂର୍ତ୍ତ ବିଭାଗ ଏହି ପୋଲ ଉପରେ ଯିବା ଆସିବା ବନ୍ଦ କରିଦେଇଛି ।

ଘଟଣା ସଂପର୍କରେ କୌଣସି ପ୍ରାଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି । ତେବେ ବିଚ୍ଛିନ୍ନାଞ୍ଚଳର ଆଦିବାସୀଙ୍କ ଲାଇଫ ଲାଇନ କୁହାଯାଉଥିବା ଏହି ଝୁଲା ପୋଲର ମରାମତି କେବେ ହେଉଛି, କେବେ ଏହା ଉପର ଦେଇ ଯାତାୟତ ସ୍ବାଭାବିକ ହେଉଛି, ତାହା ଦେଖିବାକୁ ବାକି ରହିଲା ।

187 Views

   ସମ୍ବନ୍ଧିତ ଖବର