୧୫ ଦିନ ପରେ ଥିଲା ବାହାଘର : ସ୍କୁଲ ପରିସର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଉଭୟ ଛାତ୍ର ଛାତ୍ରୀଙ୍କ ମୃତଦେହ

Published By : Prameya-News7 Bureau | January 05, 2019 IST

ନଏଡା ୫/୧ : ଦିଲ୍ଲୀ ଗ୍ରେଟର ନଏଡା ଅଂଚଳରୁ ଆସିଛି ଚାଂଚଲ୍ୟକର ଘଟଣା | ରାବୁପୁରା ଥାନା ଅଂଚଳରେ ଏକ ପବ୍ଲିକ ସ୍କୁଲରେ ଜଣେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଏବଂ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର କ୍ଲାସରୁମ ଭିତରେ ଗୋଟିଏ ଗ୍ରିଲରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲେ | ଏହି ଦୃଶ୍ୟ ଦେଖି ଲୋକଙ୍କ ହୋସ ଉଡିଯାଇଥିଲା | ଉଭୟ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି | ଛୁଟି ଚାଲିଥିବା ଯୋଗୁଁ ସ୍କୁଲ ବନ୍ଦ ରହିଥିଲା |


ଘଟଣା ସମ୍ପର୍କରେ ସ୍ଥାନୀୟଲୋକେ ସଂଗେସଂଗେ ପୋଲିସକୁ ଖବର ଦେଇଥିଲେ | ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ପହଂଚି ଉଭୟଙ୍କ ମୃତଦେହକୁ କାଢି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି | ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଉଭୟ ଛାତ୍ର ଏବଂ ଛାତ୍ରୀ ପରସ୍ପରକୁ ଭଲ ପାଉଥିବା ଜଣାପଡିଛି | ଉଭୟ ଗ୍ରେଟର ନଏଡା ଅଂଚଳର ଅଲଗା ଅଲଗା ଗାଁରେ ରୁହନ୍ତି |


ସୂଚନାଯୋଗ୍ୟ ଯେ, ଯୁବକର ବିବାହ ଠିକ ହୋଇଯାଇଥିଲା ଏବଂ ୧୫ ଦିନ ପରେ ହେବାର ଥିଲା | ଯୁବକଙ୍କ ଘରଲୋକଙ୍କ ସୂଚନା ଅନୁଯାୟୀ, ଯୁବକ ସକାଳେ ନିଜ ବାଇକ ନେଇ ସ୍କୁଲ ଯିବା ପାଇଁ ବାହାରିଥିଲା କିନ୍ତୁ ସ୍କୁଲକୁ ନଯାଇ ଛାତ୍ରୀକୁ ବାଇକରେ ବସେଇ ପାଖରେ ଥିବା ପବ୍ଲିକ ସ୍କୁଲକୁ ଯାଇଥିଲା | ଏହି ସ୍କୁଲ ଶୂନଶାନ ଜାଗାରେ ରହିଛି | ତେବେ ଥଣ୍ଡା ଯୋଗୁଁ ସ୍କୁଲ ବନ୍ଦ ରହିଛି | ଉଭୟ ବାଇକକୁ ସ୍କୁଲ ପାଚେରୀ ପାଖେ ଛିଡା କରି ବାଇକ ଉପରେ ଚଢି ସ୍କୁଲର ପାଚେରୀ ଡେଇଁ ସ୍କୁଲ ଭିତରକୁ ଯାଇଥିଲେ | ଏହାପରେ ସ୍କୁଲ ଛାତ ଉପରକୁ ଯାଇଥିଲେ | ଏହାପରେ ଗେଟର ଗ୍ରିଲରେ ବେକରେ ରାଶି ଲଗାଇ ଉଭୟ ଆତ୍ମହତ୍ୟା କରିଥିଲେ |


ପୁଅ ଘର ଲୋକେ କହିଛନ୍ତି ଯେ, ତାଙ୍କ ପୁଅ ପୂର୍ବରୁ କେବେ ସେହି ଝିଅକୁ ପ୍ରେମ କରୁଥିବା କଥା କହିନଥିଲେ | ଘରଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ସେମାନେ ସେହି ଝିଅ ସହ ତାଙ୍କ ବାହାଘର କରେଇଥାନ୍ତେ ବୋଲି କହିଛନ୍ତି |


ପ୍ରାଥମିକ ଯାଞ୍ଚରୁ ପୋଲିସକୁ ଜାଣିବାକୁ ପାଇଛି ଉଭୟ ଛାତ୍ର ଛାତ୍ରୀ ପରସ୍ପରକୁ ବହୁତ ଭଲ ପାଉଥିଲେ | ଛାତ୍ରର ଅନ୍ୟ ଜାଗାରେ ବିବାହ ହେବାରଥିଲା ବୋଲି ଉଭୟ ଏଭଳି ନିଷ୍ପତ୍ତି ନେଇଛନ୍ତି | ଉଭୟ ଅଲଗା ଅଲଗା ଜାତିର ହୋଇଥିବା ଯୋଗୁଁ ସେମାନେ ଭାବିଲେ ଯେ, ଘରଲୋକେ ତାଙ୍କ ସମ୍ପର୍କକୁ ଗ୍ରହଣ କରିବେନାହିଁ | ସେଥିପାଇଁ ସେମାନେ ଏଭଳି ଏକ ପଦକ୍ଷେପ ନେଇଥିଲେ | ତେବେ ପୋଲିସ ଘଟଣାକୁ ହତ୍ୟା କୋଣରୁ ମଧ୍ୟ ଯାଞ୍ଚ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.