ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀଦଣ୍ଡ

Published By : Prameya-News7 Bureau | September 23, 2021 IST

ହାଥରସ ୨୩/୦୯ : ଦୁଇ ବର୍ଷ ପୂର୍ବରୁ ହାଥରସରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଗୁରୁବାର ଦିନ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ହାଥରସ କୋର୍ଟର ସ୍ୱତନ୍ତ୍ର ବିଚାରପତି, ପୋକ୍ସୋ କୋର୍ଟ ନମ୍ବର -୧ ଅଭିଯୁକ୍ତଙ୍କ ଉପରେ ପଚାଶ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୯ ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ତାଙ୍କ ଉପରେ କିରୋସିନି ଢାଳି ଜୀବନ୍ତ ନିଆଁ ଲଗାଇ ଦେଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା। ହସ୍ପିଟାଲରେ ପୀଡିତାଙ୍କ ତରଫରୁ ଦିଆଯାଇଥିବା ବୟାନ ଆଧାରରେ କୋର୍ଟ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ସିକନ୍ଦରାଉ ପୋଲିସ ୨୦୧୯ ଏପ୍ରିଲ ୧୬ ତାରିଖରେ ଅଭିଯୁକ୍ତକୁ ଗିରଫ କରି ଜେଲକୁ ପଠାଇଥିଲା।

ସୂଚନାନୁସାରେ ଅଭିଯୁକ୍ତ ମୋନୁ ଠାକୁର ଏବଂ ତାଙ୍କର କିଛି ଅଜ୍ଞାତ ସହଯୋଗୀଙ୍କ ସହ ମିଶି ପୀଡିତାଙ୍କ ଘରେ ଆକ୍ରମଣ କରିଥିଲା। ଏଠାରେ ତାଙ୍କୁ ଦୁଷ୍କର୍ମ କରିଥିଲା ଓ ବିରୋଧ କରିବାରୁ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା। ସେ ସମୟରେ ପୀଡିତା ଘରେ ଏକୁଟିଆ ଥିଲେ। ପରେ ପୀଡିତାଙ୍କ ପରିବାର ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ପୀଡିତା ବୟାନରେ ଅଭିଯୁକ୍ତର ପରିଚୟ ଜଣାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କର ମୃତ୍ୟୁ ହୋଇଥିଲା।

ପୀଡିତାଙ୍କ ପିତା ଥାନାରେ ମାମଲା ରୁଜ୍ଜୁ କରିଥିଲେ। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଥିଲା। ସୂଚନାଯୋଗ୍ୟ ଯେ ପୋକସୋ ଆକ୍ଟ ଅନୁଯାୟୀ ହାଥରସ ଜିଲ୍ଲାରେ ଏହା ହେଉଛି ପ୍ରଥମ ମାମଲା ଯେଉଁଥିରେ କୋର୍ଟ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଶୁଣାଇଛନ୍ତି। କୋର୍ଟ ମଧ୍ୟ ଏହି ମାମଲାର ଶୀଘ୍ର ଶୁଣାଣି କରି ଦୁଇ ବର୍ଷ ମଧ୍ୟରେ ସମସ୍ତ ସାକ୍ଷ୍ୟ ଗ୍ରହଣ କରିବା ସହିତ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.