ଅସ୍ୱାଭାବିକ ଭାବେ ବଢୁଛି ହାତ ; ଚିକିତ୍ସାରେ ଅର୍ଥ ସାଜିଛି ବାଧକ

Published By : Prameya-News7 Bureau | August 05, 2018 IST

ଅସ୍ବାଭାବିକ ଭାବରେ ବଢୁଛି ହାତ । ଦେହଠାରୁ ହାତର ଓଜନ ଅଧିକା ହୋଇ ସାରିଲାଣି । ଚଲାବୁଲା କରି ପାରୁନି କି ଝାଡା ପରିଶ୍ରା କରିବା ବି କଷ୍ଟ ହେଉଛି । ଶୋଇକି ରହୁଛି ଦିନରାତି । ଦେହରେ ଜ୍ବର ବି ସବୁବଳେ ରହୁଛି । ଅର୍ଥ ସାଜିଛି ତାର ଚିକିତ୍ସାରେ ବାଧକ । ଏ ହେଉଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଳକର ପରେପାଙ୍ଗୁ ଗ୍ରାମର ଆଦିବାସୀ କୂଳର ଜଣେ 21 ବର୍ଷିୟା ଅନାଥ ଝିଅ ମିତା ଶବରର ଦୁଖ । ଦିନକୁ ଦିନ ମିତାର ହାତ ବଢିବାରେ ଲାଗିଛି । ଏବେ ଏତେ ଓଜିନିଆ ହୋଇ ଓହଳି ପଡିଥିବାରୁ ସେ ଦୁର୍ବଳ ହୋଇ ପଡୁଛି । ପିଲାଟି ଦିନରୁ ବାପା ମାକୁ ହରାଇ ଥିବା ମିତାର ଜନ୍ମରୁ ଏଭଳି ସମସ୍ୟା ନଥିଲା । ହେଲେ ପଞ୍ଚମ ପଢିବା ବେଳକୁ ଆରମ୍ଭ ହୋଇଥିଲା ଏହି ଅଜଣା ରୋଗ । ଯାହାକି ତା ପାଠପଢାରେ ବି ଲାଗି ଯାଇଛି ଡୋରୀ । ସତେ ଯେମିତି ତା ଜୀବନରେ ଦୁଖଃ ପରେ ଦୁଖ ମାଡି ଆସିଛି । ବର୍ତ୍ତମାନ 21 ବର୍ଷରେ ପହଞ୍ଚିଥିବା ମିତାର ସାହାରା ପାଲଟିଛି ତାଙ୍କ ବଡ ଭଉଣୀ କୁମାରୀ । ସେ ମୂଲଲାଗି ଆଣୁଥିବା ଅର୍ଥରେ ଉଭୟେ ଚଳୁଛନ୍ତି । ଚିକିତ୍ସା କରିବା ପାଇଁ ଅର୍ଥ ସାଜିଛି ବାଧକ । କିଛିବର୍ଷ ତଳେ ସ୍ଥାନୀୟ ଲୋକେ ମିତାକୁ ବ୍ରହ୍ମପୁର ଓ କଟକ ବଡ ମେଡିକାଲ ନେଇ ଚିକିତ୍ସା କରାଇ ଆଣିଥିଲେ । ସେତେବେଳେ ମିତାକୁ ଉନ୍ନତ ମାନର ଚିକିତ୍ସା ସହ ଅସ୍ତ୍ରପଚାର କରିବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥିଲେ । ହେଲେ ଅର୍ଥାଭାବରୁ ଚିକିତ୍ସା ଆଗକୁ ବଢି ପାରିନଥିଲା।ସେବେଠାରୁ ଭାଗ୍ୟକୁ ଆଦରି ପଡି ରହିଛି ମିତା । ନିକଟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବଳେ ମିତାର ଅବସ୍ଥାକୁ ଦେଖି 10 ହଜାର ଟଙ୍କାର ରେଡକ୍ରସ ସହାୟତା ଦେବାସହ ଅଧିକ ଚିକିତ୍ସା ପାଇଁ ପ୍ରତିଶୃତି ଦେଇଥିଲେ । ହଲେ ତା ପାଇଁ ଏସବୁ କାର୍ଯ୍ୟକୁ ଆଗକୁ ବଢାଇବା ପାଇଁ ଘରେ କେହି ପୁରୁଷ ଲୋକ ନଥିବାରୁ ତାହା ଆଉଏକ ସମସ୍ୟା ପାଲଟିଛି । ତେବେ ଚିକିତ୍ସା ଅଭାବ କାରଣରୁ ନିଜର ସୁବୁ ଆଶା ଆକାଂକ୍ଷା ମଉଳି ଯାଉଥିବା ମିତାର ଚିକିତ୍ସା କରାଇ ତା ଜୀବନରେ ନୂଆ ଆଶା ଭରିବା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧୀ, ସମାଜସେବୀ ଓ ପ୍ରଶାସନ ଆଗେଇ ଆସିବା ଜରୁରୀ ହୋଇ ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.