ଗୋଟିଏ ଦିନରେ ଏହି ଦେଶରେ ମୋଟ୍ ଜନସଂଖ୍ୟାର ଅଧା ଲୋକଙ୍କର କରାଗଲା କରୋନା ପରୀକ୍ଷଣ, ପଜିଟିଭ୍ ବାହାରିଲେ...

Published By : Prameya-News7 Bureau | November 02, 2020 IST

ନୂଆଦିଲ୍ଲୀ ୦୨।୧୧: ସ୍ଲୋଭାକିଆର ମୋଟ୍ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକ ଲୋକଙ୍କଠୁ କରୋନା ଟେଷ୍ଟ ପାଇଁ ନମୂନା ସଂଗ୍ରହ କରାଯାଇଛି। ଦୁଇ ଦିନିଆ ଏହି ଅଭିଯାନର ପ୍ରଥମ ଦିନରେ ମାରାଥନ ଭାବେ ପୂରା ଦେଶରେ ନମୂନା ସଂଗ୍ରହ କରାଯାଇ କରୋନା ପରୀକ୍ଷଣ କରାଯାଇଛି। ଏହି ପଦକ୍ଷେପ ଦ୍ଵାରା ବିନା ଲକ୍‌ଡାଉନ୍‌ରେ ସଂକ୍ରମଣକୁ ରୋକିବାରେ ସହାୟକ ହେବ ବୋଲି ସ୍ଲୋଭାକିଆ ସରକାର ଆଶା ରଖିଛନ୍ତି।

ଏହି ଅଭିଯାନ ଆଧାରରେ ସ୍ଲୋଭାକିଆ ଦେଶରେ କରୋନା ସଂକ୍ରମଣ ଉପରେ ନଜର ରଖିବା ସହିତ ଏହାର ବ୍ୟାପକତାକୁ ହ୍ରାସ କରିବା ସହିତ ସ୍ଵାସ୍ଥ୍ୟ କ୍ଷେତ୍ରକୁ ଆହୁରି ମଜବୁତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଜାରୋସଲାଭ ନାଡ୍ ରବିବାର କହିଛନ୍ତି ଦେଶର ୨୦ ଲକ୍ଷ ୫୮ ହଜାର ଲୋକଙ୍କ କରୋନା ଟେଷ୍ଟ କରାଯାଇଛି। ଏଥିରୁ ୧ ପ୍ରତିଶତ ଅର୍ଥାତ ୨୫,୮୫୦ ଜଣ ପଜିଟିଚ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କୁ କ୍ଵାରେଣ୍ଟାଇନ୍‌ କରାଯାଇଥିବା ମନ୍ତ୍ରୀ କହିଛନ୍ତି।

ଏହି ୟୁରୋପିୟନ ଦେଶର ମୋଟ୍ ଜନସଂଖ୍ୟା ୫୫ ଲକ୍ଷ। ୧୦ ବର୍ଷରୁ କମ ବୟସର ପିଲାଙ୍କ ବ୍ୟତୀତ ଯଥାସମ୍ଭବ ସମସ୍ତ ଲୋକଙ୍କ କରୋନା ପରୀକ୍ଷା କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କରୋନାର ମୁକାବିଲା ପାଇଁ ୪୦ ହଜାରରୁ ଅଧିକ ମେଡିକ୍ସ ଏବଂ ୫୦୦୦ ପ୍ରଶାସନିକ କର୍ମଚାରୀଙ୍କୁ ଆଣ୍ଟିଜେନ ପରୀକ୍ଷଣ ପାଇଁ ନିଯୁକ୍ତ କରାଯାଇଛି। ଏହି ପରୀକ୍ଷଣ ମାଗଣା ଏବଂ ସ୍ଵେଚ୍ଛାକୃତ ରହିଛି। ସରକାର କହିଛନ୍ତି ସେହି ମାନଙ୍କ ଉପରେ ଲକ୍‌ଡାଉନ୍ ଲଗାଯିବ ଯେଉଁମାନେ ଏଥିରେ ଅଂଶଗ୍ରହଣ କରିନାହାନ୍ତି ଏବଂ କଟକଣା ଭିତରେ କାମ କରୁଛନ୍ତି।

ପ୍ରଧାନମନ୍ତ୍ରୀ ଇଗର ମାଟୋଭିକ୍ ଲୋକଙ୍କୁ କରୋନା ସଂକ୍ରମଣ ବିରୁଦ୍ଧ ଲଢେଇରେ ସାମିଲ ହେବା ପାଇଁ ଚାପ ପକାଇ ଥିବାରୁ କ୍ଷମା ମାଗିଛନ୍ତି। କିନ୍ତୁ ଏହାର ଆବଶ୍ୟକତା ରହିଛି। ଏକତ୍ର ଯିବାକୁ ସ୍ଵାଧୀନତା ଦିଆଯାଉଛି, ମାତ୍ର ଯେଉଁମାନେ ଶାରୀରିକ ଭାବେ ଦୁର୍ବଳ, ବୃଦ୍ଧ ବ୍ୟକ୍ତି ଏବଂ ଅନ୍ୟ ରୋଗରେ ପୀଡିତ ଲୋକେ ବାହାରକୁ ନବାହାରିକୁ ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରତିବନ୍ଧକ ଲଗାଇବା ପରେ ସ୍ଲୋଭାକିଆରେ ବସନ୍ତ ଏବଂ ଗ୍ରୀଷ୍ମ ଋତୁରେ ଅପେକ୍ଷାକୃତ କମ ଲୋକ କରୋନା ସଂକ୍ରମିତ ହୋଇଥିଲେ। ହେଲେ ନିକଟ ସପ୍ତାହରେ ସଂକ୍ରମଣ ବୃଦ୍ଧି ଘଟିଛି। ୟୁରୋପରେ ଗତ ଦୁଇ ସପ୍ତାହରେ ଚେକ୍‌ ରିପବ୍ଲିକ୍‌ରେ ମୃତ୍ୟୁହାର ଅଧିକ ରହିଛି ଯାହା ସ୍ଲୋଭାକିଆ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.