ହଳଦୀରାମ୍‌ କମ୍ପାନୀର ଡାଟା ହ୍ୟାକ୍ କଲେ ସାଇବର ଅପରାଧୀ, ତଥ୍ୟ ଫେରାଇବା ବଦଳରେ ଏତେ ଟଙ୍କା ଦାବି କରୁଛନ୍ତି ହ୍ୟାକର୍ସ

Published By : Prameya-News7 Bureau | October 16, 2020 IST

ନୋଏଡା ୧୬/୧୦: ଦେଶରେ ସାଇବର ଠକେଇ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସାଇବର ଠକମାନେ ବିଭିନ୍ନ ଉପାୟରେ ବହୁ ବଡ଼ବଡ଼ କମ୍ପାନୀର ଡାଟା ହ୍ୟାକ୍‌ କରି ମୋଟାଅଙ୍କର ଟଙ୍କା ଦାବି କରୁଥିବା ଜଣାପଡ଼ିଛି। ଦେଶର ନାମୀଦାମୀ ଫୁଡ୍‌ ଓ ପ୍ୟାକେଜିଂ କମ୍ପାନୀ ହଳଦୀରାମ ସାଇବର ଠକେଇର ଶିକାର ହୋଇଛି। ଏନେଇ କମ୍ପାନୀ ପକ୍ଷରୁ ସେକ୍ଟର ୫୮ ଥାନରେ ଅଭିଯେଗ ହେବା ପରେ ମାମଲା ସାମ୍ନାକୁ ଆସିଛି।

କମ୍ପାନୀର ବିଭିନ୍ନ ବିଭାଗରୁ ସାଇବର ଅପରାଧୀ ବହୁ ଗୁରୁତ୍ବପୂର୍ଣ୍ଣ ଡାଟା ଡିଲିଟ୍‌ କରିଦେଇଛନ୍ତି। ଯେଉଁଥିପାଇଁ କମ୍ପାନୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛି। ତେବେ ଏହି ସବୁ ଡାଟା ଫେରିପାଇବାକୁ ହେଲେ ୭ ଲକ୍ଷ ଟଙ୍କା ଦାବି କରିଛନ୍ତି ଅପରାଧୀ। ପୋଲିସ କମିଶନରଙ୍କ ମିଡିଆ ପ୍ରମୁଖ ଅଭିନେନ୍ଦ୍ର ସିଂହଙ୍କ କହିବା ଅନୁଯାୟୀ ନୋଏଡାର ସେକ୍ଟର ୬୨ ସି ବ୍ଲକ୍‌ରେ ହଳଦୀରାମର କର୍ପୋରେଟ୍‌ ଅଫିସ୍‌ ରହିଛି। ଏହିଠାରୁ କମ୍ପାନୀର ଆଇଟି ବିଭାଗ କାର୍ଯ୍ୟ କରୁଛି।

୧୨ କିମ୍ବା ୧୩ ଜୁଲାଇରେ କମ୍ପାନୀରେ ସାଇବର ଆଟାକ୍‌ ହୋଇଥିବା କମ୍ପାନୀର ଡିଜିଏସ୍‌ ଆଇଟି ଅଜିଜ୍ ଖାନ ପୋଲିସ୍‌କୁ କହିଥିଲେ। ଏହାଦ୍ବାରା କମ୍ପାନୀର ବ୍ୟବସାୟ ସମ୍ପର୍କିତ ଡାଟା ଗାଏବ ହୋଇଯିବା ସହ ଅନ୍ୟ ବିଭାଗର ଡାଟା ମଧ୍ୟ ଡିଲିଟ୍‌ ହୋଇଥିଲା।

ଅଭିଯୋଗ ଅନୁସାରେ କମ୍ପାନୀର ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ ମଧ୍ୟ ଗାଏବ ଅଛି। ଏନେଇ ଉଚ୍ଚ ଅଧିକାରୀଙ୍କୁ ଜଣାପଡ଼ିବା ପରେ ପ୍ରଥମେ କମ୍ପାନୀ ଭିତରେ ଯାଞ୍ଚ କରାଯାଇଥିଲା। ଏହାପରେ କମ୍ପାନୀର ଅଧିକାରୀ ଓ ସାଇବର ଅପରାଧୀଙ୍କ ମଧ୍ୟରେ ଚାଟିଂ ହୋଇଥିଲା। ତେବେ ଅପରାଧୀମାନେ ୭ ଲକ୍ଷ ଟଙ୍କା ଦାବି କରିଥିଲେ। ସୂଚନା ଅନୁସାରେ ଜୁଲାଇ ମାସରେ ବହୁ କମ୍ପାନୀ ସାଇବର ଆଟାକ୍‌ର ସାମ୍ନା କରିଛନ୍ତି। ଏହି ସମୟରେ ଦେଶର ନାମୀ କମ୍ପାନୀ ହଳଦୀରାମ ବି ଏଥିରୁ ବର୍ତ୍ତିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.