ପାକିସ୍ତାନ ଗୁଇନ୍ଦା ସଂସ୍ଥା ISIକୁ ଦେଉଥିଲେ ଲଢ଼ୁଆ ବିମାନର ଗୁପ୍ତ ତଥ୍ୟ, HAL କର୍ମଚାରୀ ଗିରଫ

Published By : Prameya-News7 Bureau | October 09, 2020 IST

ନୂଆଦିଲ୍ଲୀ ୦୯/୧୦: ଭାରତୀୟ ବାୟୁସେନା ଦିବସରେ ବିଭିନ୍ନ ଲଢ଼ୁଆ ବିମାନ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ନିକଟରେ ଭାରତକୁ ଆସିଥିବା ଲଢ଼ୁଆ ବିମାନ ରାଫେଲ୍‌କୁ ନେଇ ଚୀନ ପାଖରୁ ଆରମ୍ଭ କରି ବିଭିନ୍ନ ଦେଶ ଏବେ ଚର୍ଚ୍ଚା କରୁଛନ୍ତି। କିନ୍ତୁ ପାକିସ୍ତାନ ଲଗାତର ନିଜର ହୀନ ଚକ୍ରାନ୍ତ ଜାରି ରଖିଛି। ବିଭିନ୍ନ ଉପାୟରେ ଏହି ସବୁ ଲଢ଼ୁଆ ବିମାନର ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।

ତେବେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ(ଆଇଏସ୍‌ଆଇ)କୁ ଲଢ଼ୁଆ ବିମାନ ସମ୍ପର୍କରେ ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌(ହାଲ୍‌)ର ଜଣେ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ। ଭାରତୀୟ ଲଢ଼ୁଆ ବିମାନ ଓ ବିମାନ ପ୍ରସ୍ତୁତି ସମ୍ବନ୍ଧୀୟ ତଥ୍ୟ ସମ୍ପୃକ୍ତ ବ୍ୟକ୍ତି ଆଇଏସ୍‌ଆଇକୁ ଦେଉଥିବା ନେଇ ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ମିଳିଛି।

ନାସିକ୍‌ ସ୍ଥିତି ଏଟିଏସ୍‌ ବିଭାବ ବ୍ୟକ୍ତିଙ୍କ ସମ୍ପର୍କରେ ଖବର ପାଇଥିଲା। ବ୍ୟକ୍ତି ଜଣଙ୍କ ଆଇଏସ୍‌ଆଇ ସମ୍ପର୍କରେ ବହୁ ଦିନ ଧରି ଥିଲେ। ଆଇଏସ୍‌ଆଇକୁ ଲଢ଼ୁଆ ବିମାନ ସମ୍ପର୍କିତ ତଥ୍ୟ ଦେବା ସହ ଓଝାର ସ୍ଥିତ ହାଲ୍‌ର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ସମ୍ପର୍କରେ ମଧ୍ୟ ଅଭିଯୁକ୍ତ ଖବର ଦେଉଥିବା ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ତେବେ ଗିରଫ ଅଭିଯୁକ୍ତ ବିରୋଧରେ ଅଫିସିଆଲ୍‌ ସିକ୍ରେଟସ୍‌ ଆକ୍ଟ ଅଧିନରେ ମାମଲା ରୁଜୁ କରାଯାଇଛି। ଏହାସହ ଅଭିଯୁକ୍ତଙ୍କ ପାଖରୁ ୩ଟି ମୋବାଇଲ୍‌ ଫୋନ୍‌, ୨ଟି ମେମୋରି କାର୍ଡ ଓ ୫ଟି ସିମ୍‌ ଜବତ କରାଯାଇଛି। ଏଗୁଡ଼ିକୁ ଯାଞ୍ଚ ପାଇଁ ଫରେନ୍ସିକ୍‌ ଲ୍ୟାବ୍‌ ପଠାଯିବ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା। ତେବେ ଅଭିଯୁକ୍ତଙ୍କୁ ୧୦ ରିମାଣ୍ଡରେ ନେଇଛି ଏଟିଏସ୍‌। ୧୯୬୪ରେ ଓଝାରରେ ନିର୍ମାଣ ହୋଇଥିବା ହାଲ୍‌ର ନିର୍ମାଣ ୟୁନିଟ୍‌ରେ ମିଗ୍‌ ୨୧ ଏଫଏଲ୍‌, କେ-୧୩ ମିସାଇଲ୍‌ ଆଦି ତିଆରି ହୋଇଛି।

ସୂଚନାଯୋଗ୍ୟ, ଚଳିତ ମାସ ୫ ତାରିଖରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା ପୋଲିସ୍‌ । ଦେଓଲାଲି ପ୍ରତିରକ୍ଷା ସେକ୍ଟରର ଫଟୋ ପାକିସ୍ତନର ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌କୁ ପଠାଉଥିବା ନେଇ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.