ଚଳିତ ବର୍ଷ ହଜ୍‌ରେ ଯାଇ ପାରିବେ ନାହିଁ ଭାରତୀୟ, କରୋନା କାରଣରୁ ସମସ୍ତ ଆବେଦନ ବାତିଲ୍

Published By : Prameya-News7 Bureau | June 15, 2021 IST

ନୂଆଦିଲ୍ଲୀ ୧୫।୦୬: ଏଥର ହଜ୍‌ ଯାତ୍ରା ପାଇଁ ସମସ୍ତ ଶ୍ରଦ୍ଧାଳୁଙ୍କ ଆବେଦନ ବାତିଲ୍ କଲା ହଜ୍ କମିଟି। ସାଉଦି ଆରବ ବାହାର ଦେଶର ନାଗରିକଙ୍କୁ ଅନୁମତି ଦେଇନଥିବାରୁ ଭାରତର ହଜ୍ କମିଟି ଚଳିତ ବର୍ଷ ହଜ୍ ଯାତ୍ରା ବାତିଲ୍ କରିଛନ୍ତି। ଏଥର କେବଳ ନିଜ ନାଗରିକଙ୍କୁ ଅନୁମତି ଦେଇଛି ସାଉଦି ଆରବ। ସାଉଦି ଆରବ କହିଛି, କରୋନା ଭାଇରସ୍‌ କାରଣରୁ ଚଳିତ ବର୍ଷ ହଜ୍ ଯାତ୍ରା ୬୦ ହଜାର ଲୋକଙ୍କ ଭିତରେ ସୀମିତ ରହିବ। ଏହି ସମସ୍ତ ଯାତ୍ରୀ ସ୍ଥାନୀୟ ନାଗରିକ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଉଦି ଆରବ ହଜ୍ ଯାତ୍ରା ପାଇଁ ୬୦  ହଜାରରୁ ଅଧିକ ଲୋକଙ୍କ ହଜ୍ ପାଇଁ ଅନୁମତି ଦେଇ ନାହିଁ। ଏଥର କେବଳ ସ୍ଥାନୀୟ ଲୋକ ହିଁ ହଜ୍ କରିବେ।  ସ୍ଵାଭାବିକ ଭାବେ ପ୍ରତି ବର୍ଷ ପ୍ରାୟ ୨୦ ଲକ୍ଷ ମୁସଲମାନ ହଜ୍ କରିଥାନ୍ତି। ଚଳିତ ବର୍ଷ ଜୁଲାଇ ମଧ୍ୟଭାଗରେ ହଜ୍ ଆରମ୍ଭ ହେଉଛି। ଏଥିରେ ୧୮ ରୁ ୬୫ ବର୍ଷ ବୟସର ଲୋକ ହିଁ ସାମିଲ ହୋଇଥାନ୍ତି। ମନ୍ତ୍ରଣାଳୟ କହିଛି, ଯାତ୍ରୀଙ୍କ ପାଇଁ କରୋନା ଟିକା ବାଧ୍ୟତାମୂଳକ।

ଗତ ବର୍ଷ ସାଉଦି ଆରବରେ ପୂର୍ବରୁ ରହି  ଆସିଥିବା ପ୍ରାୟ ଏକ ହଜାର ଲୋକଙ୍କୁ ହଜ୍ ପାଇଁ ଚୟନ କରିଥିଲା। ନିକଟରେ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବାସ ନକବି  ହଜ୍ ଯାତ୍ରାକୁ ନେଇ ଜାରି ଦ୍ଵନ୍ଦ୍ଵାତ୍ମକ ସ୍ଥିତିକୁ ନେଇ କହିଥିଲେ ଯେ, ହଜ୍ ଯାତ୍ରାକୁ ନେଇ ସାଉଦି ଆରବ ଯାହା ନିଷ୍ପତ୍ତି ନେବ, ଭାରତ ସେହି ନିଷ୍ପତ୍ତି ପାଳନ କରିବ। ତେଣୁ୨୦୨୧  ହଜ୍‌ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ସମସ୍ତ ଆବେଦନ ରଦ୍ଦ କରିଛି ଭାରତୀୟ ହଜ୍ କମିଟି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.