କୁଖ୍ୟାତ ମଦ ମାଫିଆ ହାଡ଼ିଆକୁ ହତ୍ୟା

Published By : Prameya-News7 Bureau | September 03, 2020 IST

କଟକ ୦୩।୦୯ : ପାର୍ବଣ ଋତୁ ଆରମ୍ଭରୁ  କଟକ ସହରରେ ବୁଧବାର ସନ୍ଧ୍ୟାରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଦୁର୍ବୃତ୍ତମାନେ ବିଚ୍‌ ରାସ୍ତାରେ ମାରଣାସ୍ତ୍ରରେ ହାଣି ମୁଣ୍ଡ ଗଡ଼ାଇଛନ୍ତି । ଆତତାୟୀଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛି କୁଖ୍ୟାତ ହାଡ଼ିଆ ଓରଫ  ପ୍ରକାଶ ବେହେରା ।

ସୂଚନାଯୋଗ୍ୟ ଯେ, ସତୀଚଉରା ନିକଟବର୍ତ୍ତୀ ଈପ୍‌ସାର୍‌ ଗଡ଼ା ନିକଟରେ ହାଡ଼ିଆଙ୍କୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ହାଣି ପାଖରେ ଥିବା ଏକ ଅଳିଆ ଗଦାକୁ ଫିଙ୍ଗି ଦେଇଥିଲେ । ଖବର ପାଇ ଗୁରୁତର ଅବସ୍ଥାରେ ତାଙ୍କୁ ବିଡ଼ାନାସୀ ଥାନା ପୁଲିସ୍‌ ଉଦ୍ଧାର କରି ଏସ୍‌ସିବି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତରଖାନାରେ ଡାକ୍ତର ଚିକିତ୍ସା କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର କହିଛନ୍ତି । ହାଡ଼ିଆ ହତ୍ୟାକାଣ୍ଡ ସହରରେ  ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୂର୍ବ ଶତ୍ରୁତା ଏବଂ ବିଭିନ୍ନ ବିବାଦୀୟ ଘଟଣାକୁ ନେଇ ପ୍ରତିପକ୍ଷ ଗୋଷ୍ଠୀ ସଂଘବଦ୍ଧ ଭାବେ ହାଡ଼ିଆଙ୍କୁ ହତ୍ୟା କରିଛନ୍ତି ବୋଲି ପୁଲିସ୍‌ କହିଛି ।

ପୁଲିସ୍‌ ସୂତ୍ରରୁ ପ୍ରକାଶ, ଅଲିଶାବଜାର ଭୂତିଆ ସାହି ଅଞ୍ଚଳର ହାଡ଼ିଆ ନିଜ ଘର ଛାଡ଼ି ବିଡ଼ାନାସୀ ଥାନା ଅଞ୍ଚଳର ଶିବାଜୀ ନଗରରେ ରହିଆସୁଥିଲେ । ଈପ୍‌ସାର୍‌ ଗଡ଼ାରେ ସେ ଏକ ବ୍ୟବସାୟ ଆରମ୍ଭ କରିଥିଲେ । ତା ନାଁରେ ଏକାଧିକ ମାମଲା ରହିଥିଲା । ମଝିରେ ସେ ଜେଲ୍‌ରୁ ଫେରିବା ପରେ ଏଠାରେ ବାଲି,ଗୋଡ଼ି, ଚିପ୍ସ ଆଦି ବ୍ୟବସାୟ ଚଳାଇଥିଲେ । ଶତାବ୍ଦୀ ନଗର ଅଞ୍ଚଳରେ ଜାଗା ସମସ୍ୟାକୁ ନେଇ କେତେକ ଲୋକଙ୍କ ସହ ତାଙ୍କର ମନୋମାଳିନ୍ୟ ବି ହୋଇଥିଲା ବୋଲି ଶୁଣିବାକୁ ମିଳିଛି । ଏମିତିକି ସ୍ଥାନୀୟ ଅଞ୍ଚଳର କେତେକ ଯୁବକଙ୍କ ସହ ତାଙ୍କର ବିବାଦ ମଧ୍ୟ ଉପୁଜିଥିଲା ।

ଈପ୍‌ସାର ଗଡ଼ା ପୂର୍ବରୁ ଏକ ଚା ଦୋକାନ ନିକଟରେ ଠିଆ ହୋଇଥିବା ସମୟରେ ତାଙ୍କ ପାଖରେ ଦୁଇ ଜଣ ପହଞ୍ଚି ଘେରିଯାଇଥିଲେ । ଉଚ୍ଚବାଚ ମଧ୍ୟରେ ଧାରୁଆ ଅସ୍ତ୍ରରେ ହାଡ଼ିଆଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ହାଣି ପକାଇଥିଲେ । ତାଙ୍କ ବାମ ହାତକୁ ହାଣି ଅଭିଯୁକ୍ତମାନେ ଦୁଇ ଖଣ୍ଡ କରିଦେଇଥିଲେ । ଆକ୍ରମଣରେ ଶରୀରର ଅନ୍ୟସ୍ଥାନରେ ଆଘାତ ଲାଗିଥିବା ଜଣାପଡ଼ିଛି । ବାମ ହାତ ଛିଡ଼ି ଯିବାରୁ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଅଭିଯୁକ୍ତମାନେ ଏତେ କ୍ରୋଧାନ୍ୱିତ ଓ ପ୍ରତିଶୋଧପରାୟଣ  ହୋଇପଡ଼ିଥିଲେ ଯେ ହାଣି ସାରିବା ପରେ ସେମାନେ ହାଡ଼ିଆଙ୍କୁ ନିକଟରେ ଥିବା ଏକ ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ ବୋଲି ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳିଛି ।

ଘଟଣାସ୍ଥଳରୁ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇ ଏସ୍‌ସିବିରେ ଭର୍ତ୍ତି କରିବା  ମଧ୍ୟରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆକ୍ରମଣ ପରେ ଅଭିଯୁକ୍ତମାନେ ଫେରାର  ହୋଇଯାଇଥିବା ପୁଲିସ୍‌ କହିଛି । ଖବର ପାଇ ବିଡ଼ାନାସୀ ଥାନା ପୁଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ ଚଳାଇଛି । ହାଡ଼ିଆ କିଛି ମାସ ତଳେ ଜେଲ୍‌ରୁ ବାହାରି ବ୍ୟବସାୟ ଚଳାଇଥିଲା । ତା ନାଁରେ ୨୨ରୁ ଅଧିକ ମାମଲା ରହିଥିବା ପୁଲିସ୍‌ କହିଛି । ଦଶହରା ପୂଜା ପୂର୍ବରୁ ସହରରେ ଏମିତି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିବା ପରେ ସହର ଅଶାନ୍ତ ହୋଇପଡିବାର ଆଶଙ୍କା ପ୍ରକାଶ ପାଇଛି । ଅପରାଧୀଙ୍କ ପୁଲିସ୍‌କୁ ଏହା ଖୋଲା ଚାଲେଞ୍ଜ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.