‘ସୋସିଆଲ ମିଡିଆରୁ ଦୂରେଇ ରହିବ,୫ଟି ଫଳ ଗଛ ଲଗାଇବ’ : ଗଣ୍ଡଗୋଳକାରୀ ଛାତ୍ରକୁ ଜାମିନ ଦେବାବେଳେ ଏମିତି ସର୍ତ୍ତ ରଖିଲେ କୋର୍ଟ

Published By : Prameya-News7 Bureau | August 08, 2020 IST

ଗ୍ବାଲିୟର ୮/୮: ଗ୍ବାଲିୟର ହାଇକୋର୍ଟ ମାଡ଼ପିଟର ଏକ ମାମଲାରେ କୃଷି ବିଜ୍ଞାନର ଛାତ୍ରଙ୍କୁ ଅଦ୍ଭୁତ ଶର୍ତ୍ତରେ ଜାମିନରେ ମୁକ୍ତ କରିଛନ୍ତି। କୋର୍ଟ ଛାତ୍ରଙ୍କୁ ଆଦେଶ ଦେଇଛନ୍ତି ଯେ ସେ ୨ମାସ ଯାଏଁ ସୋସିଆଲ୍ ମିଡିଆରୁ ଦୂରରେ ରହିବେ। ଛାତ୍ରଙ୍କୁ ନିଜ ପରୀକ୍ଷାର ପ୍ରସ୍ତୁତି ଜାରି ରଖିବାକୁ ପଡ଼ିବ ଏବଂ ପରିବେଶ ସଂରକ୍ଷଣ ପାଇଁ ୫ଟି ଫଳଦାୟକ ଗଛ ଲଗାଇବାକୁ ପଡ଼ିବ।

କୋର୍ଟ ଛାତ୍ର ହରେନ୍ଦ୍ର ତ୍ୟାଗୀଙ୍କ ଜାମିନ ଆବେଦନକୁ ସ୍ବୀକାର କରି ଏହି ନିଷ୍ପତ୍ତି ନେଇଛନ୍ତି। ନ୍ୟାୟାଳୟ ଛାତ୍ରଙ୍କ ସମ୍ମୁଖରେ ଯେଉଁ ସର୍ତ୍ତ ରଖିଛନ୍ତି ତାହା ଅନୁସାରେ ସୋସିଆଲ୍ ମିଡିଆର କୌଣସି ପ୍ଲାଟଫର୍ମରେ ନରହିବାକୁ ନେଇ ତାଙ୍କୁ ଥାନାରେ ଡିଜିଟାଲ୍ ଡିଟକ୍ସିଫିକେସନର ମାସିକ ରିପୋର୍ଟ ପ୍ରସ୍ତୁତ କରିବାକୁ ପଡ଼ିବ। ଯଦି ସେ ଏପରି କରିବାରେ ବିଫଳ ରହିଲେ ତେବେ ତାଙ୍କ ଜାମିନ ଆବେଦନ ରଦ୍ଦ ହୋଇଯିବ।

 ଏପରି ପ୍ରଥମ ଥର ହୋଇଛି ଯେ ହାଇକୋର୍ଟ ଜାମିନ ଦେବା ପାଇଁ ସୋସିଆଲ ମିଡିଆରୁ ଦୂରରେ ରହିବାକୁ ସର୍ତ୍ତ ରଖିଛନ୍ତି। ଛାତ୍ର ବିନା ଅନୁମତିରେ ଦେଶ ଛାଡ଼ି ମଧ୍ୟ ଯାଇ ପାରିବେ ନାହିଁ। ଛାତ୍ରଙ୍କ ବିରୁଦ୍ଧରେ ୩୨୩,୨୯୪ ଏବଂ ୫୦୬ଅନୁସାରେ ଧାରାରେ ମାମଲା ରୁଜୁ କରାଯାଇଛି। ଛାତ୍ରଙ୍କ ଦ୍ବାରା ନ୍ୟାୟାଳୟରେ ପ୍ରସ୍ତୁତ କରାଯାଇଥିବା ନିଜ ଆବେଦନରେ କୁହାଯାଇଛି ଯେ ତାଙ୍କ ବିରୋଧରେ ମାଡ଼ପିଟ ଏବଂ ଦୁର୍ବ୍ୟବହାର କରିବା ତଥା ଧମକ ଦେବା ସମ୍ବନ୍ଧରେ ଲଗାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା ଅଟେ।

ଅଭିଯୁକ୍ତ ତରଫରୁ ଏହା କୁହାଯାଇଛି ଯେ ତାଙ୍କୁ ୨୦୨୦ମସିହା ଜୁନ୍ ୨୪ତାରିଖରେ ଗିରଫ କରାଯାଇଥିଲା। ଏହାଦ୍ବାରା ତାଙ୍କ ଜୀବନରେ ବିପରୀତ ପ୍ରଭାବ ପଡ଼ୁଛି। ତେଣୁ ତାଙ୍କୁ ଜାମିନ ଦିଆଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.