ଗୁରୁପ୍ରିୟା ସେତୁ ଉଦଘାଟିତ

Published By : Prameya-News7 Bureau | July 26, 2018 IST

ମାଲକାନଗିରି ୨୬/୭ : ବିକାଶ ଧାରାରେ ସାମିଲ ହେବ ବିଛିନ୍ନାଂଚଳ ନକ୍ସଲଙ୍କ ଅଭୟାରଣ୍ୟ ଏବଂ ସମସ୍ତ ସୁବିଧା ସୁଯୋଗରୁ ବଂଚିତ ମାଲକାନଗିରି ଜିଲ୍ଲାର ବିଛିନ୍ନାଂଚଳ ଏଥର ଦେଖିବା ବିକାଶ | ମୁଖ୍ୟ ସ୍ରୋତରୁ ଗତ ୫୦ ଦଶନ୍ଧି ଧରି ବିଛିନ୍ନ ହୋଇ ରହିଥିବା ମାଲକାନଗିରି ଜିଲ୍ଲାର ୯ଟି ପଂଚାୟତର ୧୫୧ ଟି ଗାଁ ପାଇଁ ଲାଇଫ ଲାଇନ ଗୁରୁପ୍ରିୟା ସେତୁ ଆଜିଠୁ ସର୍ବ ସାଧାରଣଙ୍କ ପାଇଁ ଖୋଲିଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି | ଗୁରୁପ୍ରିୟା ବା ଜାନବାଇ ନଦୀ ଉପରେ ନିର୍ମିତ ଏହି ପୋଲ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୧୮୭ କୋଟି ୨୫ ଲକ୍ଷ ଟଙ୍କା | ପୋଲର ଦୈର୍ଘ୍ୟ ହେଉଛି ୯୧୦ ମିଟର | ୧୯୮୨ ମସିହାରୁ ଗୁରୁପ୍ରିୟା ନଦୀ ଉପରେ ସେତୁ ନିର୍ମାଣ କରି ବିଛିନ୍ନାଂଚଳକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆରମ୍ଭ ହୋଇଥିଲା ଯୋଜନା | ୯କୋଟି ଟଙ୍କା ବ୍ୟୟ ଅଟକଳରେ ଝୁଲା ପୋଲ ପରିକଳ୍ପନା କରାଯାଇଥିଲା | କିନ୍ତୁ ନକ୍ସଲଙ୍କ ଦୌରାତ୍ମ୍ୟ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଏହା ବାସ୍ତବ ରୂପ ନେଇ ପାରିନଥିଲା | ୨୦୦୫ ମସିହାରେ ପୁଣି ଏକ ପୋଲ ନିର୍ମାଣ ପାଇଁ ୪୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା | ଗ୍ୟାମନ ଇଣ୍ଡିଆ ଏହାର ଦାୟିତ୍ୱ ନେଇଥିଲା | ତେବେ ସମାନ କାରଣ ପାଇଁ ତାହା ମଧ୍ୟ ଫେଲ ମାରିଥିଲା | ୨୦୧୪ ମସିହାରେ ପୁନର୍ବାର ସେତୁ ନିର୍ମାଣ ପାଇଁ ୧୮୭ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା | କଲିକତାର ରୟାଲ ଇନଫ୍ରା କମ୍ପାନୀ ଏହାର ନିର୍ମାଣ ଦାୟିତ୍ୱ ନେଇଥିଲା | ୩ ବର୍ଷ ମଧ୍ୟରେ ସେତୁ ନିର୍ମାଣ ସାରିବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଥିଲା | କିନ୍ତୁ ନିର୍ମାଣ କାର୍ଯ୍ୟରେ ବାରମ୍ବାର ବାଧା ଉପୁଜୁଥିଲା | ବିଳମ୍ବରେ ହେଲେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ଗତମାସରେ ସାରିବା ପରେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.