ବିଚାରପତିଙ୍କ ପତ୍ନୀ ଏବଂ ପୁଅକୁ ଗୁଳିମାଡ ଘଟଣା ; ଗୁଳିମାରିଥିବା ହେଡ୍ କନେଷ୍ଟେବଳ ମହିପାଲଙ୍କ ଝିଅ ଅସୁସ୍ଥ ଥିବା ସତ୍ତ୍ବେ ସେଦିନ ତାକୁ ଛୁଟି ଦେଇନଥିଲେ ବିଚାରପତି

Published By : Prameya-News7 Bureau | October 17, 2018 IST

ଗୁରୁଗ୍ରାମ ୧୭।୧୦: ଗୁରୁଗ୍ରାମରେ ବିଚାରପତିଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ତାଙ୍କ ପତ୍ନୀ ଏବଂ ପୁଅକୁ ଗୁଳିମାଡ କରିବା ଘଟଣାରେ ଆଉ ଏକ ନୂଆ କଥା ପଦାକୁ ଆସିଛି । ଅଭିଯୁକ୍ତ ଗନର ମହିପାଲ ସିଂହ ଯାଦବଙ୍କ ଦାଦା ଦାନ ସିଂହ କହିଛନ୍ତି ଯେ,ମହିପାଲର ୭ବର୍ଷର ଝିଅ ଅସୁସ୍ଥ ଥିବାରୁ ଘଟଣା ଦିନ ସେ ବିଚାରପତି କୃଷ୍ଣକାନ୍ତଙ୍କୁ ଛୁଟି ପାଇଁ ଅନୁରୋଧ କରିଥିଲା। ମାତ୍ର ତାର ଅନୁରୋଧକୁ କୃଷ୍ଣକାନ୍ତ ଖାରଜ କରିଦେଇଥିଲେ । ତାଙ୍କ ପତ୍ନୀ ଏବଂ ପୁଅ ସପିଂରେ ଯିବା ବେଳେ ସେମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ କହିଥିଲେ । ତେବେ ଏଥିପାଇଁ ସେ ତାଙ୍କ ପତ୍ନୀ ଏବଂ ପୁଅକୁ ଗୁଳିକରିଥାଇ ପାରେ । ସେହିପରି ପୋଲିସ ତଦନ୍ତ ବେଳେ ପୋଲିସକୁ ମଧ୍ୟ ଅଧିକ ସୂଚନା ମିଳିଛି । ଅଭିଯୁକ୍ତ ମହିପାଲ ଗୁଳିକାଣ୍ଡ ଘଟାଇବା ପୂର୍ବରୁ ସୋସିଆଲ ମିଡିଆରେ ରହସ୍ୟମୟ ପୋଷ୍ଟ କରିଥିବା ଜଣାପଡିଛି । ଗୁଳିକାଣ୍ଡ ପୂର୍ବ ଦିନ ରାତିରେ ମହିପାଲ କାଗଜରେ ବିନ୍ଦୁ କରି କିଛି ଲେଖିଥିଲା । ମାତ୍ର ତାଙ୍କୁ ପରେ ପେନ୍ ରେ କାଟିଦେଇଥିଲା । ପୋଲିସ ଏହାକୁ ରେକର୍ଡ କରିନେଇଛି । ପୋଲିସ ଏହି ଲେଖାରୁ ପତ୍ତା କରିବା ପାଇଁ ଚେଷ୍ଟା କରୁଛି ।  ଗୁଳିକାଣ୍ଡ ପାଇଁ ମହିପାଲ ପୂର୍ବରୁ କିଛି ଯୋଜନା କରିଥିଲା କି ନାହିଁ ତାହା ମଧ୍ୟ ଜାଣିବାକୁ ପୋଲିସ ଉଦ୍ୟମ କରୁଛି  । ମହିପାଲ କିଛି ଦିନ ପୂର୍ବରୁ ଜଣେ ଧର୍ମ ପରିବର୍ତ୍ତନକାରୀଙ୍କ ସଂସ୍ପର୍ଶରେ ଥିବା ମଧ୍ୟ ଜଣାପଡିଛି । ମହିପାଲ ଦେଢବର୍ଷ ହେବ ବିଚାରପତିଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଭାବେ ରହିଥିଲା । ସୂଚନା ଅନୁସାରେ ଗୁରୁଗ୍ରାମ ସେକ୍ଟର ୪୯ ସ୍ଥିତ ଆର୍କଡିଆ ମାର୍କେଟର ଜନଗହଳିପୂର୍ଣ୍ଣ ସ୍ଥାନରେ ଗତ ୧୩ତାରିଖ ଦିନ ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି କୃଷ୍ଣକାନ୍ତଙ୍କ ପତ୍ନୀ ଋତୁ (୪୫) ଏବଂ ପୁଅ ଧୃବ (୧୬) ସପିଂ ପାଇଁ ଯାଇଥିବାବେଳେ ମହିପାଲ ଗୁଳିମାଡ କରିଥିଲା । ପରେ ଅଭିଯୁକ୍ତ ସୁରକ୍ଷାକର୍ମୀ ମହିପାଲକୁ ପୁଲିସ ଗିରଫ କରିଥିଲା। ତେବେ ବିଚାରପତିଙ୍କ ପତ୍ନୀ ରିତୁଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ପୁଅ ଧ୍ରୁବଙ୍କୁ ଡାକ୍ତର ବ୍ରେନ ଡେଡ୍ ଘୋଷଣା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.